ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି।
ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗ୍ରାମର ଗଡ଼ନାୟକ ସାହିର ଗୁଣନିଧି ଗଡ଼ନାୟକଙ୍କ ପୁଅ ଗଣେଶ୍ୱର ଗଡନାୟକ (୧୯) ଏକ ଟେଣ୍ଟ ହାଉସରେ କାମ କରନ୍ତି। ଆଜି ସକାଳୁ ଟେଣ୍ଟ ମାଲିକ ଗଣେଶ୍ୱରଙ୍କୁ ଖମାରରୁ କାମ କରୁଥିବା ଅନ୍ୟ ପିଲାଙ୍କୁ ଆଣିବାକୁ ପଠାଇ ଥିଲେ। କିନ୍ତୁ ସେଠାରେ ପୂର୍ବ ଶତ୍ରୁତାରୁ ଛେଳିଆପଡା ଅଞ୍ଚଳର କିଛି ଯୁବକ ଗଣେଶ୍ୱରଙ୍କୁ ଡାକି ନେଇ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ।
ଗଣେଶ୍ୱର ପ୍ରାଣ ବିକଳରେ ବାଇକ୍ ଛାଡି ଘରକୁ ପଳାଇ ଆସିଥିଲେ। ଗଣେଶ୍ୱରଙ୍କର ବାମ ହାତ, ଅଣ୍ଟା, ପିଠି, ଜଙ୍ଘ ସମେତ ଦେହ ସାରା ଚୋଟ ବାଜି ଗଭୀର ଆଘାତ ହୋଇଛି। ପରିବାର ଲୋକେ ତାଙ୍କୁ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି।