ଅନୁଗୋଳ: ମଙ୍ଗଳବାର ଅପରାହ୍ନରେ ଅନୁଗୋଳ ସହରର ଗାନ୍ଧୀମାର୍ଗ-ମୈତ୍ରୀନଗର ରାସ୍ତାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି। ଟିପିସିଓଡିଏଲ୍ ପକ୍ଷରୁ ମାଟି ତଳେ ୩୩ କେଭି ବିଦ୍ୟୁତ୍ ଲାଇନ୍ କାର୍ଯ୍ୟ ଚାଲିଥିବା ବେଳେ ଅସାବଧାନତାବଶତଃ ଏକ ପିଏନ୍ଜି ଗ୍ୟାସ୍ ପାଇପ୍ ଲାଇନ୍ କଟିଯାଇଥିଲା। ଫଳରେ ପ୍ରବଳ ମାତ୍ରାରେ ଗ୍ୟାସ୍ ଲିକ୍ ହୋଇ ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ବିପିସିଏଲ୍ (BPCL)ର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ନିୟନ୍ତ୍ରଣ କରିଥିଲେ। ପୋଲିସ ମଧ୍ୟ ସ୍ଥିତି ଉପରେ ନଜର ରଖିବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଥିଲା। ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ, ପ୍ରଶାସନ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ସର୍ବସାଧାରଣଙ୍କୁ ଆତଙ୍କିତ ନ ହେବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ପ୍ରତି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।











