ଅନୁଗୁଳ: ଅନୁଗୁଳ ଜିଲ୍ଲାର ନାଲକୋ ଠାରୁ ସହର ଦେଇ ଯାଇଥିବା ଜାତୀୟ ରାଜପଥ ଏବେ ସାଧାରଣ ଜନତାଙ୍କ ପାଇଁ ପାଲଟିଛି ମରଣଯନ୍ତା। ରାସ୍ତା ପାର୍ଶ୍ଵରେ ଖୋଳାଯାଇଥିବା ବଡ଼ ବଡ଼ ଗର୍ତ୍ତ ଏବେ ଦୁର୍ଘଟଣାକୁ ଖୋଲା ନିମନ୍ତ୍ରଣ ଦେଉଛି। ପାଇପଲାଇନ୍ କିମ୍ବା ନିର୍ମାଣ କାର୍ଯ୍ୟ ପାଇଁ ଖୋଳାଯାଇଥିବା ଏହି ଗର୍ତ୍ତଗୁଡ଼ିକୁ କାମ ସରିବା ପରେ ସଠିକ୍ ଭାବେ ମରାମତି କରାଯାଉ ନଥିବାରୁ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବିଶେଷ କରି ରାତି ସମୟରେ ଏହି ଗର୍ତ୍ତଗୁଡ଼ିକ ଚାଳକଙ୍କ ନଜରକୁ ଆସୁ ନଥିବାରୁ ପ୍ରତିଦିନ ଦୁଇଚକିଆ ଓ ଛୋଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ସାମାନ୍ୟ ବର୍ଷା ହେଲେ ଏହି ଗର୍ତ୍ତରେ ପାଣି ଜମି ରହୁଥିବାରୁ ସମସ୍ୟା ଆହୁରି ଜଟିଳ ହୋଇପଡ଼ୁଛି। ଠିକା ସଂସ୍ଥାର ଚରମ ଅବହେଳା ଓ ପ୍ରଶାସନର ନିରବତାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ଯଥାଶୀଘ୍ର ଏହି ରାସ୍ତାର ମରାମତି କରାଯାନଗଲେ ଆଗାମୀ ଦିନରେ କୌଣସି ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ରହିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।











