ନିଆରା ପ୍ରୟାସ! ବନ୍ୟଜନ୍ତୁଙ୍କ ପାଇଁ ଗାଁରେ ସୌରବାଡ଼ ଲଗାଇଛନ୍ତି ଗ୍ରାମବାସୀ, ସନ୍ଧ୍ୟା ୭ଟା ପରେ ପ୍ରବେଶ ମନା

You are currently viewing ନିଆରା ପ୍ରୟାସ! ବନ୍ୟଜନ୍ତୁଙ୍କ ପାଇଁ ଗାଁରେ ସୌରବାଡ଼ ଲଗାଇଛନ୍ତି ଗ୍ରାମବାସୀ, ସନ୍ଧ୍ୟା ୭ଟା ପରେ ପ୍ରବେଶ ମନା

ଅନୁଗୁଳ: ଦୀପ ତଳ ଅନ୍ଧାର। ଏହି ଧାଡ଼ିଟି ଏବେ ଅନୁଗୁଳ ପାଇଁ ପ୍ରଯୁଜ୍ୟ ମନେ ହେଉଛି। କାରଣ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଏବେ ବି ଏମିତି ଗାଁ ରହିଛି, ଯେଉଁଠି ବନ୍ୟଜନ୍ତୁଙ୍କ ଉପଦ୍ରବରେ ବାଧ୍ୟ ହୋଇ ସନ୍ଧ୍ୟା ହେବା ମାତ୍ରେ ଗାଁର ପ୍ରବେଶ ପଥରେ ସୌର ଫାଟକ ପକାଉଛନ୍ତି ଗାଁ ଲୋକ। ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା କିଛି ଗାଁରେ ଏହି ଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି।

ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ପଞ୍ଚାୟତ କୁଲାଙ୍ଗୀ ଗାଁରେ ପ୍ରାୟ ୧୦୦ ପରିବାର ବସବାସ କରୁଛନ୍ତି। ଗାଁର ଚାରିପାଖରେ ବଡ଼ବଡ଼ ପାହାଡ଼ ଓ ଘଞ୍ଚ ଜଙ୍ଗଲ ରହିଛି। ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ କର୍ମନିଯୁକ୍ତିର ସେଭଳି କୌଣସି ସମ୍ଭାବନା ନଥିବାରୁ ପ୍ରାୟ ସବୁ ଲୋକ ଚାଷକୁ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଛନ୍ତି। ତେବେ ଜଙ୍ଗଲକୁ ଲାଗି ରହିଥିବାରୁ ଏଠାରେ ସବୁବେଳେ ହାତୀ, ବାରହା, ହରିଣ, ସମ୍ବର ଭଳି ବନ୍ୟଜନ୍ତୁ ଗାଁରେ ପଶି ଫସଲ ଉଜାଡ଼ି ଦେଉଥିଲେ। ଗାଁର ଲୋକ ମାନେ ଏଥିପାଇଁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ରୋଜଗାରର ଅନ୍ୟ ବିକଳ୍ପ ନଥିବାରୁ ସେମାନେ କେବେ ଚାଷ ଛାଡ଼ିନାହାନ୍ତି।
ଏବେ ଅନ୍ୟ ଉପାୟ ନ ପାଇ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବରୁ ରକ୍ଷା ପାଇବାକୁ ଗାଁ ଚାରିପାଖରେ ଗ୍ରାମବାସୀ ସୌର ତାରବାଡ଼ ଦେଇଛନ୍ତି। ଗାଁକୁ ଟାକରସିଂହା ପାର୍ଶ୍ଵରୁ କେବଳ ଗୋଟିଏ ପ୍ରବେଶ ପଥ ରହିଛି। ସେହି ରାସ୍ତା ଦେଇ ଗାଁର ଲୋକମାନେ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ଉକ୍ତ ରାସ୍ତାରେ ଗ୍ରାମବାସୀଙ୍କ ପକ୍ଷରୁ ଏକ କାଠରେ ଫାଟକ କରାଯାଇଛି। ଗାଁର ଚାରିପାଖରେ ସୋଲାର୍ ତାରବାଡ଼ ଥିବାରୁ ପ୍ରବେଶ ରାସ୍ତା ଦେଇ ବନ୍ୟଜନ୍ତୁ ଗାଁକୁ ପଶିଯିବାର ସମ୍ଭାବନା ରହିଛି। ଫଳରେ ଗାଁକୁ ବନ୍ୟଜନ୍ତୁଙ୍କୁ ଦୂରେଇ ରଖିବାକୁ ସେଠାରେ ଫାଟକ ଲଗାଯାଇଥିବା ଲୋକେ କହିଛନ୍ତି।

ସନ୍ଧ୍ୟା ୭ ଟାରେ ଗାଁର ଲୋକେ ପ୍ରତିଦିନ ପାଳିକରି ଫାଟକ ତାଲା ପକାଇ ଦେଉଛନ୍ତି। ୭ଟା ପରଠାରୁ କୌଣସି ଲୋକ ଗାଁରେ ପ୍ରବେଶ କରିବା ମନା ବୋଲି ସେଠାରେ ଲେଖି ଦେଇଛନ୍ତି। ଏବେ ଫସଲ ବଞ୍ଚାଇବାକୁ ଅଞ୍ଚଳବାସୀଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରସଂଶା କରୁଛନ୍ତି।

Share

Leave a Reply