ତାଳଚେର : ତାଳଚେର ବ୍ଲକ୍ ଘଣ୍ଟପଡ଼ା ପଞ୍ଚାୟତସ୍ଥିତ ନୂତନ ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜରେ ବେଆଇନ ନିଯୁକ୍ତିକୁ ବିରୋଧ ଓ ପଞ୍ଚାୟତବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ଦାବିରେ ଆଜି ପଞ୍ଚାୟତବାସୀ ଏମସିଏଲ ଜଗନ୍ନାଥ କ୍ଷେତ୍ର ଜିଏମ୍ କାର୍ଯ୍ୟାଳୟ ଫାଟକ ଆଗରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି।
ସୂଚନା ମୁତାବକ, ପବିତ୍ର ମୋହନ ମେଡ଼ିକାଲ କଲେଜ ପାଇଁ ଘଣ୍ଟପଡ଼ା ପଞ୍ଚାୟତ ତରଫରୁ ପଲ୍ଲୀ ସଭା ଆୟୋଜନ କରାଯାଇ ୨୦.୦୮ ଏକର ଯୋଗାଇ ଦିଆଯାଇଥିଲା। ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଘଣ୍ଟପଡ଼ା ପଞ୍ଚାୟତରୁ ୨୫୦ରୁ ଅଧିକ ୱାର୍ଡ଼ ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ ପଦବୀ ପାଇଁ ଦାୟିତ୍ବରେ ଥିବା ଉର୍ମିଳା ଇଣ୍ଟରନ୍ୟାସନାଲ ସର୍ଭିସେସ ଲିଃ କର୍ତ୍ତୃପକ୍ଷଙ୍କୁ ବାୟୋଡାଟା ଓ ଅନ୍ୟାନ୍ୟ କାଗଜପତ୍ର ଦିଆଯାଇଥିଲା। ତେବେ ମିଳିଥିବା ପ୍ରତିଶ୍ରୁତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତରୁ ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦିଆଯାଇ ବାହାର ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ଅସଦ୍ ଉପାୟରେ ଦିଆଯାଇଛି ବୋଲି ଜାଣିବାକୁ ମିଳିଛି।
ସେହିପରି ଏମସିଏଲର ବିଭିନ୍ନ ଅନୁଷ୍ଠାନ ଏଠାରେ ନିର୍ମାଣ ହେଇଥିଲେ ମଧ୍ୟ ଏଠାରେ ଠିକାଦାରୀ ଅଧୀନରେ ବାହାରୁ ଥିବା କାର୍ଯ୍ୟଗୁଡ଼ିକରେ ପଞ୍ଚାୟତର ଲୋକଙ୍କୁ ନିଯୁକ୍ତି ଦେବାରେ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି l ଏନେଇ ନିକଟରେ ଏମସିଏଲ ଡାଇରେକ୍ଟର (ଟେକ୍ନିକାଲ)ଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ଜଗନ୍ନାଥ ଜିଏମ୍ ଙ୍କ ଜରିଆରେ ପ୍ରଦାନ କରାଯାଇଛି l କୌଣସି ସୁଫଳ ନ ମିଳିବାରୁ ପୂର୍ବ ନିଷ୍ପତ୍ତି ଅନୁସାରେ ଧାରଣା ଦିଆଯାଇଥିଲା l ତେବେ ଖୁବ୍ ଶୀଘ୍ର ଏକ ବୈଠକ ଜରିଆରେ ପଞ୍ଚାୟତବାସୀଙ୍କ ଦାବି ସଂପର୍କରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ସ୍ଥଗିତ ରଖାଯାଇଛି l
ଆଜିର ଧାରଣାରେ ସରପଞ୍ଚ ସସ୍ମିତା ବିଶ୍ଵାଳ, ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନିଲ ବିଶ୍ବାଳ, ସମାଜସେବୀ ବିଭୂତି ସାହୁ, ୱାର୍ଡ଼ ମେମ୍ବର ରାଜୀବ ଦାସ, ବିକାଶ ସାହୁ, ଜିନେସ ସାହୁ, ଶିବାନନ୍ଦ ଥମ୍ବ, ଅମୀୟକାନ୍ତ ସାହୁଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ସାମିଲ ହୋଇଥିଲେ।











