ଜୁନ୍ ସୁଦ୍ଧା ଜାତୀୟ ରାଜପଥ କାମ ସାରିବାକୁ ତାଗିଦ୍

0

ଅନୁଗୁଳ: ରାଜ୍ୟ ପୂର୍ଭମନ୍ତ୍ରୀ ଶ୍ରୀ ମଲ୍ଲିକ ବୁଧବାର ଅନୁଗୁଳ ଗସ୍ତରେ ଆସି ଅନୁଗୁଳ ସର୍କିଟ୍ ହାଉସ ଠାରେ ଆୟୋଜିତ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ରାସ୍ତାକୁ ନେଇ ସମୀକ୍ଷା କରିଛନ୍ତି। ମହୀଧରପୁର ଛକରୁ ନୂଆହତା ଛକ ପର୍ଯ୍ୟନ୍ତ ରାସ୍ତାରେ ସାଙ୍ଘାତିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ତେଣୁ ବଅଁରପାଳ ଛକରୁ ମହୀଧରପୁର ଛକ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଏକ ବାଇପାସ୍‌ ରୋଡ୍ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୩୦ରୁ ୩୫ ଏକର ବେସରକାରୀ ଜାଗା ଅଧିଗ୍ରହଣ କରାଯିବ। ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସେହିପରି ଆଠଗଡ଼ ଦେଇ ଅନୁଗୁଳ ସହରକୁ ସଂଯୋଗ କରିବାକୁ ଥିବା ୬୫୫ ନମ୍ବର ଜାତୀୟ ରାଜପଥର ମୋଡ଼ ପରିବର୍ତ୍ତନ କରାଯାଇଛି। ମହୀଧରପୁର ଛକରୁ ଏହି ଜାତୀୟ ରାଜପଥକୁ ବଡ଼କେରା ଛକରେ ୫୫ ନମ୍ବର ଜାତୀୟ ରାଜପଥରେ ସଂଯୋଗ କରିବାକୁ ମନ୍ତ୍ରୀ ଏନ୍‌ଏଚ୍ଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ପରେ ବୈଠକରେ ଟିଟିପିଏସ୍ ଓଭରବ୍ରିଜ୍, ବଅଁରପାଳରୁ ତାଳଚେର ଲିଙ୍ଗରାଜ ପର୍ଯ୍ୟନ୍ତ ରାସ୍ତାର ସମୀକ୍ଷା କରାଯାଇଥିଲା । ବୈଠକରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା କଦର୍ଯ୍ୟ ୫୫ ନମ୍ବର ଜାତୀୟ ରାଜପଥ । ବର୍ଷ ପରେ ବର୍ଷ ବିତୁଛି ସିନା, ପ୍ରଶସ୍ତିକରଣ କାର୍ଯ୍ୟ ସରୁନି। ଏହାକୁ ନେଇ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ଝାଡ଼ିଥିଲେ । ବଅଁରପାଳ ଛକ ଠାରୁ ବଡ଼କେରା ଛକ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଠିକା ସଂସ୍ଥା ଏହାର ମରାମତି କରୁନଥିବା ବେଳେ ଏଥିପାଇଁଜିଲ୍ଲା ପ୍ରଶାସନ ନିନ୍ଦିତ ହେଉଛି। ବର୍ଷା ହେଲେ ରାଜପଥ ନାଳର ଭ୍ରମ ସୃଷ୍ଟି କରୁଛି । ଖାଲଖମାରେ ଭର୍ଭି ରାସ୍ତାରେ ଲୋକ ଯମ ଯନ୍ତ୍ରଣା ଭୋଗୁଛନ୍ତି। ଧୂଳି, ଧୂଆଁ ଆକ୍ତାମାନ୍ତା କରି ପକାଉଛି । ଯୁଦ୍ଧକାଳୀନ ଭିଭିରେ ଏହି ରାସ୍ତାର ମରାମତି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବଅଁରପାଳରୁ ଅନୁଗୁଳ ସହର ମଧ୍ୟରେ ୫୫ ନମ୍ବର ଜାତୀୟ ରାଜପଥର ୬ଟି ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସାମାନ୍ୟ ବର୍ଷାରେ ରାଜପଥ ଗାଡ଼ିଆ ପାଲଟୁଛି । ଏହି ୬ଟି ସ୍ଥାନକୁ ଉଚ୍ଚା କରି ଡ୍ରେନେଜ୍ ସମସ୍ୟା ସୁଧାରିବାକୁ ମନ୍ତ୍ରୀ ଏନ୍‌ଏଚ୍ଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ସେହିପରି ବଇଣ୍ଡା ଠାରୁ ବାମୁର ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଠମଲ୍ଲିକ ବିଧାୟକ ରମେଶ ଭୋଗୁଛନ୍ତି । ଠିକାସଂସ୍ଥା କ୍ରସର ଗୁଣ୍ଡ ଢାଳି ତାଳିମରା କାମ କରୁଥିବାରୁ ରାସ୍ତା ଦୁଇ ଦିନ ମଧ୍ୟ ଯାଉନି । ନିତି ଲୋକ ଦୁର୍ଘଟଣା ଘଟୁଛି, ଲୋକଙ୍କ ଜୀବନ ଯାଉଛି। ତେଣୁ ମରାମତି ଭଲରେ କରିବା ସହ ପ୍ରଶସ୍ତିକରଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଇଣ୍ଡାରୁ ବାମୁର ପର୍ଯ୍ୟନ୍ତ ରାସ୍ତାରେ ବସ୍ ପ୍ରତୀକ୍ଷା ଗୃହ ନାହିଁ । ଯଥାଶୀଘ୍ର ବସ୍ ପ୍ରତୀକ୍ଷା ଗୃହ ନିର୍ମାଣ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ଅବଧି ବଢ଼ାଇ ଚାଲିଥିବା ବେଳେ କାମ ସାରିବାର ନାଁ ନେଉନି । ଏହାକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଜୁନ୍ ସୁଦ୍ଧା ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅନ୍ତତଃ ପକ୍ଷେ ଗୋଟିଏ ଲେନ୍ ରାସ୍ତାକୁ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ଅଞ୍ଚଳରେ କାମ ଅଧ ପନ୍ତରିଆ ହୋଇ ପଡ଼ିଥିଲେ ହେଁ ଜୁନ୍ ସୁଦ୍ଧା ଅଣ୍ଡରପାସ୍ କାମ ବ୍ୟତିରେକ ଅନ୍ୟ ସମସ୍ତ କାମ ଶେଷ ହୋଇଯିବ ବୋଲି ଠିକାସଂସ୍ଥା ଦୃଢୋକ୍ତି ପ୍ରକାଶ କରିଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ଏନ୍‌ଏଚ୍ଆଇ ଓ ଠିକାସଂସ୍ଥା ‘ ଗାୟତ୍ରୀ’ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!