ଅନୁଗୁଳ : ଜାତୀୟ ରାଜପଥ ମରାମତି ଓ ଅନୁଗୁଳ ସହର ବାହାରେ ଚାଲିଥିବା ବାଇପାସ ନିର୍ମାଣକୁ ତୁରନ୍ତ ସାରିବା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅନୁଗୁଳ ସଚେତନ ନାଗରିକ ପକ୍ଷରୁ ଦିଆଯାଇଥିବା ଗଣଧାରଣା ଶୁକ୍ରବାର ଦଶମ ଦିନରେ ପହଞ୍ଚିଛି।
ଗତ ୧୭ ତାରିଖରୁ ଚାଲିଥିବା ଗଣଧାରଣାରେ ସହରର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜୋର ଧରିଛି। ଦାବିଗୁଡ଼ିକ ମଧ୍ୟରେ ରାଜପଥ ମରାମତି ଦାବି ପ୍ରମୁଖ ରହିଛି। ଗଣଧାରଣାସ୍ଥଳରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି।
ଅନ୍ୟପଟେ ଦୀର୍ଘ ଦଶ ଦିନ ଧରି ଗଣଧାରଣା ଜାରି ରହିଥିବା ବେଳେ କୌଣସି ବି ଲୋକପ୍ରତିନିଧି ଓ ଅଧିକାରୀ ଏ ପର୍ଯ୍ୟନ୍ତ ଧାରଣାସ୍ଥଳରେ ନ ପହଞ୍ଚିବା କିମ୍ବା କୌଣସି ଆଲୋଚନା ନ କରିବାରୁ ଆନ୍ଦୋଳନକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ଆସନ୍ତା ରବିବାର ଗଣଧାରଣା ସ୍ଥଳରେ ସାଧାରଣ ସଭା ଆୟୋଜିତ ହେବ ବୋଲି ଜଣାଯାଇଛି।