ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ କିଆକଟା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବିବାହ ସାରି ଫେରୁଥିବା ବରଯାତ୍ରୀ ବୋଲେରୋ ଓ ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବାରୁ ଡ୍ରାଇଭର ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କଦଳୀଗଡ଼ ଗାଁରୁ ବରଯାତ୍ରୀ ଗାଡ଼ିଟି ରାମଗଡ଼ ଯାଇ ବିବାହ ସାରି ଫେରୁଥିବା ବେଳେ ରେଢାଖୋଲ-ବୌଦ୍ଧ ୧୫୩ ନଂ ଜାତୀୟ ରାଜପଥର କିଆକଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପଛରେ ଆସୁଥିବା ଅନ୍ୟ ବରଯାତ୍ରୀ ଗାଡ଼ିର ଲୋକେ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କିଆକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।











