ଆରଟିଓଙ୍କ ମାନବିକତା

You are currently viewing ଆରଟିଓଙ୍କ ମାନବିକତା

ଅନୁଗୁଳ: ସଂପ୍ରତି ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଅପରିଚିତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ଦେବଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା। ପତ୍ନୀ ଓ ଶିଶୁକନ୍ୟା ସହ ଭୁବନେଶ୍ୱରରରୁ କର୍ମକ୍ଷେତ୍ରକୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ରେ ରକ୍ତାକ୍ତ ବାଇକ୍ ଆରୋହୀଙ୍କୁ ଉଠାଇ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତଙ୍କ ପ୍ରାଥମିକ ଚିକିତ୍ସା ପର୍ଯ୍ୟନ୍ତ ଅପେକ୍ଷା କରି ସେ ଗନ୍ତବ୍ୟସ୍ଥଳକୁ ଫେରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଦେବଗଡ଼ ଆର୍‌ଟିଓ ଶ୍ରୀ ପରିଡ଼ା ପତ୍ନୀ ଓ କନ୍ୟା ସହ ଏକ ସ୍କର୍ପିଓରେ ଭୁବନେଶ୍ୱରରୁ ଫେରୁଥିଲେ । ଜରପଡ଼ା-ଛେଣ୍ଡିପଦା ରାସ୍ତାରେ
ଆସୁଥିବା ବେଳେ ଛେଣ୍ଡିପଦାଠାରୁ ମାତ୍ର ଗୋଟିଏ କିଲୋମିଟର ପୂର୍ବରୁ ଲିପୁନ୍ ପ୍ରଧାନ (୩୦) ନାମକ ଜଣେ ବାଇକ୍ ଆରୋହୀ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡ଼ିଥିଲେ । ପରେ ତାଙ୍କ ଘର ଜରପଡ଼ା ଥାନାର ନାଉପଦା ଗ୍ରାମରେ ବୋଲି ଜଣାପଡ଼ିଥିଲା । ବାଇରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଲିପୁନ୍ ପଡ଼ିଯାଇଥିଲେ । ଆରଟିଓ ଶ୍ରୀ ପରିଡ଼ା ଏ ଦୃଶ୍ୟ ଦେଖିବା ପରେ ତୁରନ୍ତ ଗାଡ଼ି ଅଟକାଇ ତାଙ୍କ ସ୍କର୍ପିଓରେ ଲିପୁଙ୍କୁ ବସାଇ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗାଡ଼ି ଏବଂ ସ୍କର୍ପିଓରେ ଥିବା ସମସ୍ତ ଯାତ୍ରୀ ଅକ୍ଷତ ଥିବା ବେଳେ ଲିପୁନ୍ ରକ୍ତରଂଜିତ ହୋଇ ବାହାରିବା ଦେଖି ମେଡ଼ିକାଲ କର୍ମଚାରୀ ହଠାତ୍ ଚକିତ ହୋଇପଡ଼ିଥିଲେ । ପରେ ଶ୍ରୀ ପରିଡ଼ା ନିଜର ପରିଚୟ ଦେବା ସହ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଆହତ ଯୁବକଙ୍କର ଉପଯୁକ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ନିଜର କେହି ସମ୍ପର୍କୀୟ କିମ୍ବା ଚିହ୍ନାଜଣା ହୋଇନଥିଲେ ବି ରାସ୍ତାରେ ଆହତାବସ୍ଥାରେ ପଡ଼ିଥିବା ଯୁବକ ଜଣକ କାହାର ତ ଭାଇ, ପୁଅ ଅବା ପୁତୁରା । ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଯୁବକଟିର ଚିକିତ୍ସା ନିତ୍ୟାନ୍ତ ଜରୁରୀ । ଏହା ଦେଖିବା ପରେ ନିଜକୁ ରୋକିନପାରି ଗାଡ଼ି ଅଟକାଇବାକୁ କହିଥିଲି ବୋଲି ଦେବଗଡ଼ ଆର୍‌ଟିଓ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।

Share

Leave a Reply