ଭୁବନେଶ୍ୱର: ନାଟ୍ୟକଳା ପ୍ରତି ରୁଚି ଅନୁଗୋଳର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ରାଜଧାନୀରେ ଜାତୀୟ ସ୍ତରର ପରିଚୟ ଦେଇଛି। କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ଓ ନାଟ୍ୟଶାସ୍ତ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ବଛା ବଛା ନାଟ୍ୟକାରଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ତାଲିକାରେ ଅନୁଗୁଳର ଶାନ୍ତନୁ କୁମାର ସ୍ୱାଇଁ ମଧ୍ୟ ସମ୍ମାନିତ ହୋଇଛନ୍ତି।
ଅନୁଗୋଳ ହେମସୁରପଡ଼ାରେ ମଞ୍ଚସ୍ଥ ହୋଇଥିବା ଏକ ନାଟକରେ ପ୍ଲେ-ବ୍ୟାକ୍ କଳାକାର ଭାବେ ତାଙ୍କ ଅଭିନୟକୁ ବିଶେଷ ପ୍ରଶଂସା ମିଳିଥିଲା। ସେହି ଅଭିନୟ ପାଇଁ ତାଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇବା ପରେ ଶାନ୍ତନୁ କହିଛନ୍ତି, ‘ଅନୁଗୋଳ ସାହିର ନାଟକରେ ମୁଁ ଜଣେ ଭଲ ପ୍ଲେ-ବ୍ୟାକ୍ କଳାକାର ଭାବେ ଅଭିନୟ କରିଥିଲି। ତାହାକୁ ରାଜଧାନୀରେ ପ୍ରଶଂସା କରାଯାଇ ମୋତେ ପୁରସ୍କୃତ କରାଯାଇଛି। ଏଥିପାଇଁ କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନଙ୍କୁ ଅଶେଷ ଧନ୍ୟବାଦ। ବିଭିନ୍ନ ସହର ଓ ଛୋଟ ଛୋଟ ଗାଁର ପ୍ରତିଭାଙ୍କୁ ରାଜଧାନୀରେ ସମ୍ମାନିତ କରାଯାଉଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି’।
ଶାନ୍ତନୁଙ୍କ ଏହି ସଫଳତା ଅନୁଗୁଳ ଜିଲ୍ଲାର କଳା ଓ ସଂସ୍କୃତି ପ୍ରେମୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି।











