ଅନୁଗୁଳ: ଜିନ୍ଦଲ ଷ୍ଟିଲ୍ ଆଣ୍ତ ପାୱାର ଲିମିଟେଡ୍ ଦ୍ବାରା ବିସ୍ଥାପିତ ଜଣେ ଜମିହରା ପ୍ରଜା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥାୟୀ ନିଯୁକ୍ତି ଦାବି କରି ସେ ଜିଲ୍ଲା କାର୍ଯ୍ୟାଳୟରେ ସପରିବାର ଧାରଣାରେ ବସିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ବେ କିଛି ସୁଫଳ ମିଳୁନି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ମଧ୍ଯ କମ୍ପାନି ବାଏଁ ବାଏଁ ଉଡ଼ାଇ ଚାଲିଥିବା ଧାରଣାରେ ବସିଥିବା ସାନକେରେଜାଙ୍ଗ ଗ୍ରାମର ପ୍ରମୋଦ ବିଶ୍ବାଳଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ପ୍ରମୋଦ ଓ ତାଙ୍କ ଦୁଇ ଭାଇ କ୍ଷୀରୋଦ ଓ ବିନୋଦ ସାନକେରେଜାଙ୍ଗରେ ପ୍ଲଟ ନ˚ ୧୫୧ରେ ରହି ଆସୁଥିଲେ। ୨୦୦୯ ମସିହାରେ ଜେଏସ୍ପିଏଲ୍ ତାର କାରଖାନା ପାଇଁ ଉକ୍ତ ଜମି ଓ ଘରଡିହ ଅଧିଗ୍ରହଣ କରିଥିଲା। ପ୍ରତିବଦଳରେ ଏକ ଜାଗା କିଣି ଘର ନିର୍ମାଣ କରି ଦେଇଥିଲା କମ୍ପାନୀ।ମାତ୍ର ସରକାରଙ୍କ ବିସ୍ଥାପିତ ନୀତି ଅନୁଯାୟୀ ସ୍ଥାୟୀ ନିଯୁକ୍ତି ଦେଇନଥିଲା। ଏ ନେଇ ପ୍ରମୋଦ ବାରମ୍ବାର ଜିଲ୍ଳା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ଅନେକ ବାର ଜେଏସ୍ପିଏଲ୍ କତ୍ତୃର୍ପକ୍ଷ, ପ୍ରଶାସନ ଓ ପ୍ରମୋଦଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସିଛି। ହେଲେ ଫଳ ଶୂନ। ବୈଠକରେ ସ୍ଥାୟୀ ଚାକିରି ନେଇ ନିଷ୍ପତ୍ତି ହେଉଥିଲେ ହେଁ ଜେଏସ୍ପିଏଲ୍ ପ୍ରତାରଣା କରିଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ପ୍ରାୟ ୪ ଘଣ୍ଟା ଧାରଣାରେ ବସିବା ପରେ ତାଙ୍କ ସହ ପ୍ରଶାସନ ଓ ଜେଏସ୍ପିଏଲ୍ କତ୍ତୃର୍ପକ୍ଷ ଆଲୋଚନା କରିଥିଲେ। ଆଗାମୀ ୭ ଦିନ ମଧ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ସେ ଆନ୍ଦୋଳନକୁ ଓହରିଥିବା ଜଣାପଡ଼ିଛି।
ସ୍ଥାୟୀ ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଧାରଣା
- Post published:January 5, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
