ଭୁବନେଶ୍ୱର: କେନ୍ଦୁଝର ଝିଅକୁ ବଡ଼ ସଫଳତା। ଖିରେଇଟାଙ୍ଗିରୀ ପଞ୍ଚାୟତର ଡଳଙ୍ଗ ଗାଁର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ଦେଓ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗ ସ୍ମାତକ ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ଦ୍ୱାରା ଗରିବ ମେଧାବୀ ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ‘ଯଶସ୍ବୀ ମେଧାବୃତ୍ତି’ ସହାୟତାରେ ପାଠ ପଢୁଥିଲେ। ବିଶ୍ୱବିଦ୍ୟାଳୟରେ ଟପ୍ପର ହେବା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।
ଖିରେଇଟାଙ୍ଗିରୀ ପଞ୍ଚାୟତର ଡଳଙ୍ଗ ଗାଁର ବିଜୟାନନ୍ଦ ବେହେରା ଓ ଗୀତାଞ୍ଜଳୀ ବେହେରାଙ୍କ ଝିଅ ହେଉଛନ୍ତି ନମ୍ରତା। ତାଙ୍କ ପଢ଼ାରେ ଅର୍ଥ ବାଧକ ସାଜିଥିବା ବେଳେ ଜେଏସପି ଫାଉଣ୍ଡେସନ ସହାୟତାର ହାତ ବଢ଼ାଇ ଥିଲେ ।
ଫାଉଣ୍ଡେସନର ‘ଯଶସ୍ବୀ ମେଧାବୃତ୍ତି’ ଯୋଜନା ରେ ନମ୍ରତାଙ୍କ ପୂରା ପଢା ଖର୍ଚ୍ଚ ବହନ କରିଥିଲେ। ସୁଶ୍ରୀ ବେହେରା ଏହି ସଫଳତା ପାଇଁ ନିଜର ମାତା-ପିତା ଓ ପରିବାର ବର୍ଗଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ମହାନ୍ତ ଓ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଏବଂ ଫାଉଣ୍ଡେସନକୁ ଶ୍ରେୟ ଦେଇଛନ୍ତି। ସେ ପରୀକ୍ଷାରେ ୮୭% ନମ୍ବର ରଖି, ସର୍ବମୋଟ ୧୪୦୦ ନମ୍ବରରୁ ୧୨୧୯ ନମ୍ବର ପ୍ରାପ୍ତ କରିଛନ୍ତି।
ତାଙ୍କର ଏହି ସଫଳତା ଜେଏସପି ଫାଉଣ୍ଡେସନର ସହାୟତା ସହ ନିଜର ପରିଶ୍ରମ ଓ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକାଙ୍କର ସହଯୋଗ ବିନା ସମ୍ଭବ ହୋଇ ପାରି ନଥାନ୍ତା ବୋଲି ସେ କହିଛନ୍ତି। ଭବିଷ୍ୟତରେ ସେ ଜଣେ ଭଲ ସଫ୍ଟୱେୟାର ଇଂଜିନିୟର ହେବେ ବୋଲି ଆଶା ରଖିଛନ୍ତି।