ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ରୋଗୀ ସେବା ଆରମ୍ଭ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ସଫଳ ହୋଇଛି। ଏହାର ପ୍ରଭାବରେ ସହରର ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିବା ସହ ‘ଅଖଚକ’ ମଧ୍ୟ ସ୍ଥାପିତ ହୋଇଥିଲା। ରେଳ ଚଳାଚଳ ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ଶତାଧିକ ଜନସାଧାରଣ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ବହ୍ଲର ଛକ ଓ ଡେରା ଓଭରବ୍ରିଜ୍ରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ କୋଇଲା ପରିବହନ ବନ୍ଦ କରିଥିଲେ। ପୋଲିସ କମିଟିର ସାଧାରଣ ସମ୍ପାଦକ ବିଜୟ ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କୁ ଅଟକ ରଖି ମାମଲା ରୁଜୁ କରିଛି। ସ୍ଥାନୀୟ ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ଭାବେ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି।











