ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଏକ ଠିକା ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକଙ୍କୁ ୨ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଠିକାସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ମାନବ ପୋରେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ଫୁଲପଡ଼ା ପାୱାର ଗ୍ରୀଡଠାରୁ ମୋନେଟ ପର୍ଯ୍ୟନ୍ତ ଏକ ୪୦୦ କିଲୋ ଭୋଲ୍ଟର ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରାନ୍ସମିଶନ ବିଦ୍ୟୁତ ଲାଇନର କାର୍ଯ୍ୟ ଏକେ ଦାଶ ଆସୋସିଏଟ ଲିମିଟେଡ ନାମକ ଠିକାସଂସ୍ଥା କରୁଛି। ପଞ୍ଚମହଲାଠାରେ ଏହାର ଟାୱାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସରଧାପୁର ଗାଁର ୪୦/୫୦ ଜଣ ଲୋକ ସେଠାରେ ପହଞ୍ଚି ଟାୱାର କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ।
ଏଥିପାଇଁ ଠିକାସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ମାନବ ପୋରେ ଲୋକଙ୍କ ସହ ଆଲୋଚନା କରିବା ପାଇଁ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ୨ ଜଣ ଯୁବକ ଉତ୍କ୍ଷିପ୍ତ ହୋଇ ମାନବ ପୋରେଙ୍କୁ ମାଡ଼ ମାରିଥିଲେ। ଫଳରେ ମାନବ ପୋରେ ଆହତ ହୋଇଥିଲେ। ଏ ନେଇ ଶ୍ରୀ ପୋରେ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।