ସରଧାପୁର ଗାଁ ମଝିରେ ଆଣ୍ଠୁଏ ପାଣି, ଜଳବନ୍ଦୀ ହେଲେ ଗ୍ରାମବାସୀ

You are currently viewing ସରଧାପୁର ଗାଁ ମଝିରେ ଆଣ୍ଠୁଏ ପାଣି, ଜଳବନ୍ଦୀ ହେଲେ ଗ୍ରାମବାସୀ

ଅନୁଗୋଳ: ସାମାନ୍ୟ ବର୍ଷା ହେଲେ ଗାଁ ମଝିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାଉଛି। ଫଳରେ ଲୋକେ ଘରେ ଜଳବନ୍ଦୀ ହେଉଛନ୍ତି। ଏପରି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ସରଧାପୁର ଗ୍ରାମରେ। ଗ୍ରାମରେ ବର୍ଷା ପାଣି ନିଷ୍କାସନ ପାଇଁ କୌଣସି ସ୍ଥାୟୀ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ବର୍ଷାଦିନେ ଗାଁ ରାସ୍ତା ନଦୀର ରୂପ ନେଉଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗ୍ରାମ ନିକଟରେ ଥିବା “ନୂଆ ବନ୍ଧ” ହିଁ ସମସ୍ୟାର ମୂଳ କାରଣ। ବର୍ଷା ହେଲେ ଏହି ବନ୍ଧର ପାଣି ଉଛୁଳି ବା ଭାଙ୍ଗି ସିଧା ଗାଁ ଭିତରକୁ ପଶି ଆସୁଛି। ପାଣି ବୋହିଯିବା ପାଇଁ ବାଟ ନଥିବାରୁ ତାହା ଦୀର୍ଘ ସମୟ ଧରି ଗାଁ ମଝିରେ ଜମି ରହୁଛି। ଫଳରେ ଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ସନାତନ ସାହୁ, ବିଦ୍ୟାଧର ସାହୁ, ସୁମନ ପ୍ରଧାନ, ଭଜମନ ପ୍ରଧାନ ପ୍ରମୁଖଙ୍କ ସମେତ ଅନେକ ପରିବାରଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ରନ୍ଧାବଢ଼ା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁ ବାଧାପ୍ରାପ୍ତ ହୋଇଛି। ଆସବାବପତ୍ର ଓ ଗଚ୍ଛିତ ଖାଦ୍ୟଶସ୍ୟ ନଷ୍ଟ ହୋଇ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପଟେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି। ପାଣି ତଳେ କିଛି ଦୃଶ୍ୟମାନ ନହେବାରୁ ଯେକୌଣସି ସମୟରେ ବଡ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ତେଣୁ ଅଭିଭାବକମାନେ ବାଧ୍ୟ ହୋଇ ପିଲାଙ୍କୁ ସ୍କୁଲ ପଠାଇ ପାରୁନାହାନ୍ତି। ଏହି ଜଳବନ୍ଦୀ ସମସ୍ୟା ବହୁ ପୁରୁଣା ହୋଇଥିଲେ ବି ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ତୁରନ୍ତ ଗ୍ରାମ ମଝିରେ ଡ୍ରେନ୍ ନିର୍ମାଣ ସହ “ନୂଆ ବନ୍ଧ”ର ସୁରକ୍ଷା ଓ ମରାମତି କରିବାକୁ ସରଧାପୁରବାସୀ ଦାବି କରିଛନ୍ତି।

Share

Leave a Reply