ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ପୌରପରିଷଦର ଅବସରପ୍ରାପ୍ତ ସଫେଇ କର୍ମଚାରୀମାନେ ଗତ ୩ ମାସ ହେଲା ପେନସନ ନ ପାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସହରର ସ୍ୱାସ୍ଥ୍ୟ ଓ ସଫାଇ ପାଇଁ କାମ କରି ଆଜି ସେମାନେ ବ୍ୟାଧିଗ୍ରସ୍ତ ହୋଇପଡ଼ିଛନ୍ତି। ମାତ୍ର ଅବସରର ୨ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାଚୁଇଟି, ପିଏଫ୍ ଏବଂ ଅନ୍ୟାନ୍ୟ ବକେୟା ମିଳିପାରି ନାହିଁ।
ନିର୍ବାହୀ ଅଧିକାରୀ ସବୁ ଦୋଷ ରାଜ୍ୟ ସରକାରଙ୍କ ଉପରେ ଲଦି ଦେଉଥିବା ଅଭିଯୋଗ ହୋଇଛି। ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି କୌଣସି ସୁଫଳ ମିଳିନଥିଲା। ବର୍ତ୍ତମାନ ଟଙ୍କା ଅଭାବରୁ ଔଷଧ କିମ୍ବା ଖାଦ୍ୟ କଣା ନ ପାରି ଏମାନେ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ତୁରନ୍ତ ଏହାର ସମାଧାନ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି।











