ଅନୁଗୁଳରେ ଲାଗିବ ୨୨ ହଜାର ସ୍ମାର୍ଟ ମିଟର, ମିଟର ପିଛା ଅତିରିକ୍ତ ୨୦ ଟଙ୍କା ନେବାକୁ ମସୁଧା: ବିରୋଧ ପାଇଁ ସଜବାଜ ହେଲେଣି ଅସନ୍ତୁଷ୍ଟ ଉପଭୋକ୍ତା

You are currently viewing ଅନୁଗୁଳରେ ଲାଗିବ ୨୨ ହଜାର ସ୍ମାର୍ଟ ମିଟର, ମିଟର ପିଛା ଅତିରିକ୍ତ ୨୦ ଟଙ୍କା ନେବାକୁ ମସୁଧା: ବିରୋଧ ପାଇଁ ସଜବାଜ ହେଲେଣି ଅସନ୍ତୁଷ୍ଟ ଉପଭୋକ୍ତା

ଅନୁଗୁଳ: ଟାଟା ପାୱାର ହାତକୁ ରାଜ୍ୟର ବିଦ୍ୟୁତ ବଣ୍ଟନ ଦାୟିତ୍ୱ ଗଲା ପରଠାରୁ ଇଲେକ୍ଟ୍ରି ବିଲକୁ ନେଇ ବିବାଦ ଘନେଇବାରେ ଲାଗିଛି। କେତେବେଳେ ବିଲ ମାତ୍ରାଧିକ ଆସୁଛି ବୋଲି ଗ୍ରାହକ ଅଭିଯୋଗ କରୁଛନ୍ତି ତ ଆଉ କେତେବେଳେ କମ୍ପାନୀ ଲୋକ ଆସି ମିଟର ଖୋଲି ନେଇଯାଉଛନ୍ତି। ପୁଣି ଆଉ କିଛି ଗ୍ରାହକଙ୍କ ଘରେ ମିଟର ସମସ୍ୟା ନ ଥାଇ ବି ବଦଳାଇବା ଆଳରେ କମ୍ପାନୀ ଟଙ୍କା ଶୋଷୁଥିବା ଅଭିଯୋଗ ଆସିଛି। ତେବେ ବର୍ତ୍ତମାନ ସ୍ମାର୍ଟ ମିଟର ଲାଗିବା ନେଇ ନୂଆ ବିବାଦୀୟ ସ୍ଥିତି ଉପୁଜିଛି।

ଅନୁଗୁଳ ଇଲେକ୍ଟ୍ରିକାଲ ଡିଭିଜନରେ ୨୨ ହଜାର ସ୍ମାର୍ଟ ମିଟର ଲାଗିବ ବୋଲି ନିଷ୍ପତ୍ତି ହୋଇଛି। ଇତିମଧ୍ୟରେ ୧୭୦୦ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲାଗି ବି ସାରିଲାଣି। ତେବେ ଏଥି ପାଇଁ ମାସିକ ମିଟର ରେଣ୍ଟ ୪୦ ଟଙ୍କା ଜାଗାରେ ୬୦ ଟଙ୍କା ପଡିବ। ଅତିରିକ୍ତ ୨୦ ଟଙ୍କା ଦେବାକୁ ଗ୍ରାହକ ଅନିଚ୍ଛା ପ୍ରକାଶ କରୁଥିବା ଦେଖା ଦେଇଛି। ଏଣୁ କିଛି ଲୋକ ଘରେ ଏହାକୁ ଲଗାଇବାକୁ ବି ମନା କରୁଥିବା ଦେଖିବାକୁ ମିଳିଛି।

ଏ ସମ୍ପର୍କରେ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ମାନସ କରଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ଭିଜନ ଟେକ କମ୍ପାନୀର ତିନୋଟି ମଡେଲର ମିଟର ଲାଗିଥିଲା। ଏହି ମିଟରରେ ଛୋଟ ବ୍ୟାଟେରୀ ରହୁଥିଲା। ପାଞ୍ଚ ବର୍ଷ ପରେ ବ୍ୟାଟେରୀ ଦୁର୍ବଳ ହେଲେ ମିଟର ରିଡିଙ୍ଗ ଠିକ ଆସୁନଥିବା ନେଇ ଅନେକ ଗ୍ରାହକ ଅଭିଯୋଗ କରିଥିଲେ। ଏଣୁ ଏବେ ନୂଆ ସ୍ମାର୍ଟ ମିଟର ଲଗାଯାଉଛି। ଜେନସ ଓ ଏଚପିଏଲ କମ୍ପାନୀର ଏହି ସ୍ମାର୍ଟ ମିଟର ଟିପିସିଓଡିଏଲ ମିତ୍ର ଆପ ଜରିଆରେ କାର୍ଯ୍ୟକ୍ଷମ ହେବ। ଏହା ଦ୍ୱାରା ଉପଭୋକ୍ତା ନିଜ ମୋବାଇଲ ଜରିଆରେ କେତେ ବିଦ୍ୟୁତ ଶକ୍ତି ଦୈନିକ କି ମାସିକ ଖର୍ଚ୍ଚ କରୁଛନ୍ତି ଜାଣି ପାରିବେ। ବିଲ ପାଇଁ ଆଉ ମିଟର ରିଡର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କିନ୍ତୁ ଉପଭୋକ୍ତା ଏହାକୁ ବିଶ୍ୱାସକୁ ନେଉ ନାହାନ୍ତି। ସ୍ମାର୍ଟ ମିଟର ଅଧିକ ସମ୍ବେଦନଶୀଳ ଏବଂ ଅଧିକ ବିଲ ଆସିବାର ସମ୍ଭାବନା ରହିଥିବାରୁ ଉପଭୋକ୍ତା ସଙ୍ଘ ଏହାକୁ ବିରୋଧ କରୁଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଏହି ସ୍ମାର୍ଟ ରିଡର ଆପେ ଆପେ ରିଡିଙ୍ଗ କରୁଥିବାରୁ ଏଣେ ମିଟର ରିଡରଙ୍କ ଚାକିରି ଯିବାର ବି ଭୟ ରହିଛି। ତେବେ ରାଜ୍ୟରେ ସରକାର କଡ଼ ଲେଉଟାଇ ଡବଲ ଇଂଜିନ ସରକାର ଆସିବା ପରେ ଲୋକଙ୍କ ପାଇଁ ଏହା ମହଙ୍ଗା ମାଡ଼ ବୋଲି କୁହାଯାଉଛି। ନିର୍ବାଚନ ପୂର୍ବରୁ ବିଲ ଛାଡ଼ ହେବ ବୋଲି ବିଜେପି କଥା ଦେଇଥିବା ବେଳେ ଏବେ ଓଲଟା କାମ କରୁଛି। ଏଣୁ ଉପଭୋକ୍ତା କ୍ଷୁବ୍ଧ ହୋଇ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାଯାଇଛି।

Share

Leave a Reply