ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକର କୁକୁଡା ଚାଷୀ ସଂଘ ପକ୍ଷରୁ ମଙ୍ଗଳବାର ଏକ କୁକୁଡା ଚିଆଁ ବୋଝେଇ ପିକଅପ ଭ୍ୟାନକୁ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ୍ ନିକଟରେ ଅଟକାଇବା ସହ ଛେଣ୍ଡିପଦା ଥାନା ଜିମା ଦେଇଛନ୍ତି।
ସୂଚନା ମୁତାବକ, କୁକୁଡା କମ୍ପାନୀ ପକ୍ଷରୁ ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ କରାଯାଉନାହିଁ। ଏଥିସହ କମ୍ପାନୀ କୁକୁଡା ଚାଷୀଙ୍କୁ ଶୋଷଣ କରୁଛି ବୋଲି ଅଭିଯୋଗ କରି ଚାଷୀମାନେ ଗତ ୨୨ତାରିଖରେ ଜିଲ୍ଲାପାଳ, ଛେଣ୍ଡିପଦା ପୋଲିସକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥଲେ। ଏହାପରେ ଚଳିତ ମାସ ୩୦ ତାରିଖ ମଧ୍ୟରେ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ଏଣୁ ୩୦ତାରିଖ ସମାଧାନ ନ ହେବା ଚାଷୀମାନେ କମ୍ପାନୀକୁ ପର୍ଯ୍ୟନ୍ତ କୁକୁଡା ଯୋଗାଉଥିବା କମ୍ପାନୀକୁ ଚିଆଁ ପଠାଇବେ ନାହିଁ ବୋଲି କହିଥିଲେ।
କିନ୍ତୁ ଆଜି କମ୍ପାନୀ ପକ୍ଷରୁ ଏହାକୁ ନ ମାନି ଚିଆଁ ପଠାଉଥିବା ବେଳେ ଚାଷୀମାନେ ଏହାକୁ ବିରୋଧ କରିଥିବା ଜଣାଯାଇଛି। ଏ ନେଇ ଛେଣ୍ଡିପଦା ପୋଲିସକୁ ଖବର ଦେବା ପରେ ଗାଡିକୁ ଥାନା ଜିମା ଦିଆଯାଇଛି। ଛେଣ୍ଡିପଦା ପୋଲିସ କୁକୁଡା କମ୍ପାନୀ ଓ କୁକୁଡା ଫାର୍ମ ଚାଷୀ ସଂଘକୁ ଥାନାକୁ ଡକାଇ ଆଲୋଚନା କରୁଛି। ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରିନଥିବା ଜଣାଯାଇଛି।
ଅନ୍ୟପଟେ ଛେଣ୍ଡିପଦା ଥାନାରେ କୁକୁଡା ଚାଷୀମାନେ ଜିମା ଦେଇଥିବା ଗାଡିରେ ଥିବା ୩ହଜାର କୁକୁଡା ଚିଆଁ ମଧ୍ୟରୁ ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ବ କୁକୁଡା ଖରାରେ ରହି ମରିଯାଇଥିବା ବେଳେ କୁକୁଡା କମ୍ପାନୀର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଜଣାପଡିଛି।