ଅନୁଗୁଳ: ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ମେଧାବୀ ଛାତ୍ରୀଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଗୁଳ ଜିଲ୍ଲାରେ ୯୬.୩୩% (୫୭୮) ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିବା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏବିଭିପି କାର୍ଯ୍ୟକର୍ତ୍ତାମାନେ ବରସାହି ପଞ୍ଚାୟତର ଖମାର ଗ୍ରାମରେ ଥିବା ଆଦ୍ୟାଶାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ୱାମୀ ବିବେକାନନ୍ଦଙ୍କ ପୁସ୍ତକ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ସଫଳତା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଏହି ସମ୍ମାନ ତାଙ୍କୁ ଭବିଷ୍ୟତରେ ଆହୁରି ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ ବୋଲି ଆଦ୍ୟାଶା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ ସହ-ସମ୍ପାଦକ ଆଶିଷ କୁମାର ବେହେରାଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କ୍ରିଷ୍ଣା ବାଘ, ନଗର ସମ୍ପାଦକ ଜଗନ୍ନାଥ ସାହୁ, ସୁକନ୍ୟା ଖିଲାର, ମାନିନୀ ଆଚାର୍ଯ୍ୟ, ଶିବାଜୀ ଭୂତିଆ, ସତ୍ୟ ରଞ୍ଜନ ବେହେରା ଓ ଧରଣୀଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ପରିବାର ପକ୍ଷରୁ ଏହି ପଦକ୍ଷେପ ପାଇଁ ବିଦ୍ୟାର୍ଥୀ ପରିଷଦକୁ ଧନ୍ୟବାଦ ଜଣାଯାଇଛି।











