ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ବାରୁଆଁ ଶିବ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀରୁ ବୁଧବାର ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି କଟରାପଡ଼ା ଗ୍ରାମର ୫୮ ବର୍ଷୀୟ ହରମୋହନ ପ୍ରଧାନ।
ସୂଚନା ଅନୁଯାୟୀ, ହରମୋହନ ଗତ ୧ ତାରିଖରୁ ନିଖୋଜ ଥିଲେ। ଏ ନେଇ ପରିବାର ପକ୍ଷରୁ ସମଲ ଥାନାରେ ଏଫ୍ଆଇଆର ମଧ୍ୟ ଦାଖଲ ହୋଇଥିଲା। ଆଜି ଦିନ ପ୍ରାୟ ୨ଟା ସମୟରେ ନଦୀରେ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ କଣିହାଁ ଅଗ୍ନିଶମ ବାହିନୀର ଓଆଇସି ସୁଜିତ ମିଶ୍ରଙ୍କ ନେତୃତ୍ୱରେ ସୁବ୍ରତ ପ୍ରଧାନ, ସୁରେନ୍ଦ୍ର ଜେନା ଓ ବିକ୍ରମ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।
ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପାଇଁ ତାଳଚେର ଉପ-ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସମଲ ଆଇଆଇସି ମୃଣ୍ଣଲ କଲୋ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।











