ଅନୁଗୁଳ: ପୌଷ୍ୟ ସନ୍ତାନ ସଚେତନତା ମାସ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପୌଷ୍ୟ ସନ୍ତାନ ସଚେତନତା ରଥ ଗଡ଼ିଛି। ଅସହାୟ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବେ ଆପଣେଇବା ଏବଂ ଏପରି ମହତ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଏହି ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତାର ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ୮ ଦିନ ଧରି ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିବ। ପୌଷ୍ୟ ସନ୍ତାନ ଗ୍ରହଣ ଓ ଏଥି ଲାଗି ରହିଥିବା ଆଇନଗତ ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯିବ। ଅନାଥ ଅବହେଳିତ ବ୍ୟବସ୍ଥାରେ ଥିବା ଶିଶୁଙ୍କୁ ପରିଚୟ ପ୍ରଦାନ କରିବାରେ ଏହି ରଥ ସହାୟକ ହେବ। ପୌଷ୍ୟ ସନ୍ତାନ ଗ୍ରହଣ ପାଇଁ ଇଚ୍ଛୁକ ବ୍ୟକ୍ତି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ପୋଷଣ ଯତ୍ନ ମାଧ୍ୟମରେ ମଧ୍ୟ ପୌଷ୍ୟ ସନ୍ତାନ ଗ୍ରହଣ କରାଯାଇପାରିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତିଙ୍କ ସମେତ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।