ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତରେ ମନରେଗା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ବୁଧବାର ଜିଲ୍ଲା ପରିଷଦରେ ଅବସ୍ଥାପିତ ଲୋକପାଳ (ଓମ୍ବୁଡ୍ସମ୍ୟାନ) ବିଭୂତି ଭୂଷଣ ପଟ୍ଟନାୟକ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ତଦନ୍ତ କରିଛନ୍ତି।
ଇଂ ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ମାଧପୁର ପଞ୍ଚାୟତର ୯ ଲକ୍ଷ ୯୦ ହଜାର ଅର୍ଥ ବ୍ୟୟରେ କରାଯାଇଥିବା ଦିଗପଦର ଗ୍ରାମ ଠାରୁ ମନରବେଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା, ୧ ଲକ୍ଷ ୬୭ ହଜାର ଅର୍ଥ ବ୍ୟୟ ରେ କରାଯାଇଥିବା ଭ୍ରମରବର ପ୍ରଧାନଙ୍କ ମୋ ପୋଖରୀ (ଫାର୍ମ ପଣ୍ଡ) ଓ ସୁରେଶ ଗହୀରଙ୍କ ମୋ ପୋଖରୀ (ଫାର୍ମ ପଣ୍ଡ )କାର୍ଯ୍ୟ ଅନିୟମିତତାର ତଦନ୍ତ କରାଯାଇଛି। ଲୋକପାଳଙ୍କ ତଦନ୍ତକୁ ଭୁବନେଶ୍ୱରରୁ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ମହେଶ୍ୱର ସ୍ୱାଇଁ ମଧ୍ୟ ଭିଡିଓ କନଫରେନସିଂ ମାଧ୍ୟମରେ ପରିଚାଳନା କରିଥିବା ଜଣାଯାଇଛି।
ଏହି ତଦନ୍ତ କାର୍ଯ୍ୟକ୍ରମରେ ଲୋକପାଳଙ୍କ ସହ ବ୍ଲକ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ )ଅଙ୍କିତା ସାହୁ, ବ୍ଲକ କନିଷ୍ଠଯନ୍ତ୍ରୀ ଶକ୍ତିପ୍ରସାଦ ତ୍ରିପାଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ତିଳକରାଜ ବେହେରା ଓ ଗ୍ରାମ୍ୟ ରୋଜଗାର ସେବକ ଫିରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ।