ନିମ୍ନମାନର ନିର୍ମାଣ ଅଭିଯୋଗ: ଲଗାଣ ବର୍ଷାରେ ଗଳୁଛି ଆପାର୍ଟମେଣ୍ଟ: ଗାନ୍ଧୀ ମାର୍ଗ ଆପାର୍ଟମେଣ୍ଟରେ ଜଳମଗ୍ନ ଅବସ୍ଥା, ଅତିଷ୍ଠ ଶତାଧିକ ବାସିନ୍ଦା

You are currently viewing ନିମ୍ନମାନର ନିର୍ମାଣ ଅଭିଯୋଗ: ଲଗାଣ ବର୍ଷାରେ ଗଳୁଛି ଆପାର୍ଟମେଣ୍ଟ: ଗାନ୍ଧୀ ମାର୍ଗ ଆପାର୍ଟମେଣ୍ଟରେ ଜଳମଗ୍ନ ଅବସ୍ଥା, ଅତିଷ୍ଠ ଶତାଧିକ ବାସିନ୍ଦା

ଅନୁଗୋଳ: ସ୍ଥାନୀୟ ଗାନ୍ଧୀ ମାର୍ଗ ସ୍ଥିତ ଏକ ଘରୋଇ ଆପାର୍ଟମେଣ୍ଟରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେତୁ ଲଗାଣ ବର୍ଷାରେ ବାସିନ୍ଦାମାନେ ଚରମ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସବୁ ମହଲାର ଛାତରୁ ପାଣି ଗଳୁଥିବା ବେଳେ ଆପାର୍ଟମେଣ୍ଟ ସମ୍ମୁଖ ମଧ୍ୟ ଜଳମଗ୍ନ ହୋଇପଡ଼ିଛି।

ଏହି ଅପାର୍ଟମେଣ୍ଟରେ ଶତାଧିକ ଲୋକ ରହୁଛନ୍ତି। ଛାତରୁ ଲିକ୍ ହେଉଥିବା ପାଣି ଘର ଭିତରେ ପଶିବାରୁ ଆସବାବପତ୍ର ଓ ବିଦ୍ୟୁତ୍ ଉପକରଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଆପାର୍ଟମେଣ୍ଟ ସାମ୍ନାରେ ପାଣି ଜମୁଥିବାରୁ ବୟସ୍କ ଓ ପିଲାମାନଙ୍କୁ ଯିବାଆସିବାରେ ବହୁ ସମସ୍ୟା ହେଉଛି।

ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆପାର୍ଟମେଣ୍ଟ ମାଲିକ କିଛି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, “ନିର୍ମାଣ ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିଲା। ଏବେ ସାମାନ୍ୟ ବର୍ଷାରେ ହିଁ ସମ୍ପୂର୍ଣ୍ଣ ଅପାର୍ଟମେଣ୍ଟ ଭାସୁଛି।” ଅବସ୍ଥା ସୁଧାର ନହେଲେ କିଛି ଅନ୍ତେବାସୀ ଖାଉଟି ଅଦାଲତର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଆପାର୍ଟମେଣ୍ଟର ମରାମତି ଓ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।ସମ୍ପୃକ୍ତ ଅପାର୍ଟମେଣ୍ଟ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share

Leave a Reply