ଅନୁଗୁଳ : ସ୍ତ୍ରୀହନ୍ତା ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ କୋର୍ଟ।
ସୂଚନା ମୁତାବକ, ଗତ ୨୦୦୭ ମସିହାରେ ଅନୁଗୁଳ ଥାନା ଅନ୍ତର୍ଗତ ଶାବଳ ଭଙ୍ଗା ଗ୍ରାମର ନିନ୍ଦ୍ରା ସାହୁଙ୍କ ଝିଅ ରଶ୍ମିତା ତୁମୁଣୀ ଗ୍ରାମର ସୁର ବିଶ୍ୱାଳଙ୍କ ପୁଅ ବାବୁ ବିଶ୍ୱାଳଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ନିନ୍ଦ୍ରାଙ୍କର କୌଣସି ପୁଅ ନ ଥିବାରୁ ବାବୁ ଘର ଜ୍ୱାଇଁ ହୋଇ ରଶ୍ମିତାଙ୍କ ସହିତ ତାଙ୍କ ଘରେ ଆସି ରହିଲେ। ସେଠାରେ ରହିବା ପରେ ବାବୁ ସ୍ତ୍ରୀ ରଶ୍ମିତାକୁ ଚାରି ପାଞ୍ଚ ଥର ମାଡ଼ ପିଟ କରିଥିଲେ। ପରେ ଗ୍ରାମରେ ବସି ଗାଁ ଲୋକଙ୍କ ବୁଝାସୁଝା ପରେ ମିଳାମିଶା ହୋଇଥିଲା। କିନ୍ତୁ କିଛି ଦିନ ପରେ ପୁଣି ରଶ୍ମିତା ଏବଂ ତାଙ୍କ ମା ନିନ୍ଦ୍ରାଙ୍କୁ ମାଡପିଟ କରି ନିନ୍ଦ୍ରା ସାହୁଙ୍କୁ ଘରୁ ତଡି ଦେଇଥିଲା ବାବୁ। ଫଳରେ ଭୟଭୀତ ହୋଇ ନିନ୍ଦ୍ରା ସେଠାରୁ ଯାଇ ନିଜ ବାପ ଘର ଶଙ୍ଖପୁରରେ ରହୁଥିଲେ।
କିଛି ଦିନ ପରେ ଶାବଳ ଭଙ୍ଗା ଗ୍ରାମର ଦୁଇ ଜଣ ବ୍ୟକ୍ତି ନିନ୍ଦ୍ରା ସାହୁଙ୍କୁ ଖବର ଦେଇଥିଲେ ଯେ ତାଙ୍କ ଝିଅ ରଶ୍ମିତାକୁ ତାର ସ୍ୱାମୀ ବାବୁ ତଣ୍ଟି ଚିପି ହତ୍ୟା କରି ଘର ଠାରୁ ୨୦୦ ମିଟର ଦୂର ଏକ ବିଲରେ ଫିଙ୍ଗି ଦେଇଛି। ନିନ୍ଦ୍ରା ପହଞ୍ଚି ଦେଖିବାରୁ ତାଙ୍କ ଝିଅ ରଶ୍ମିତା ବିଲରେ ମରିପଡିଥିଲା। ନିନ୍ଦ୍ରା ସାହୁ ଏନେଇ ବନ୍ତଳା ଥାନାକୁ ଜଣାଇବା ସହ ବାବୁ ବିଶ୍ୱାଳ ତାଙ୍କ ଝିଅ ରଶ୍ମିତା କୁ ହତ୍ୟା କରିଛି ବୋଲି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଦଫା ୩୦୨/୪୯୮(ଏ )ରେ ଏକ କେସ ରୁଜୁ କରି ହତ୍ୟାକାରୀ ବାବୁ ବିଶ୍ୱାଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହି ଦିନ ଠାରୁ ବାବୁ ବିଶ୍ୱାଳ ବିଚରାଧୀନ କଏଦୀ ଭାବେ ସଜା କାଟୁଥିଲା।
ଆଜି ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ରଂଜିତା ଜ୍ୟୋତିଶି ଏହି ମାମଲାର ଶୁଣାଣି କରି ୧୨ ଜଣ ସାକ୍ଷୀ ପ୍ରମାଣ ଆଧାରରେ ହତ୍ୟାକାରୀ ବାବୁ ବିଶ୍ୱାଳକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଆଉ ଅଧିକ ଗୋଟେ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର କେସ୍ ପରିଚାଳନା କରୁଥିଲେ।