ଅନୁଗୁଳ: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ। ଏଥିରେ ଅନୁଗୁଳ ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ଚମତ୍କାର ପ୍ରଦର୍ଶନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
କଳା, ବାଣିଜ୍ୟ ଓ ବିଜ୍ଞାନ-ତିନୋଟି ଯାକ ବିଭାଗରେ ପିଲାମାନେ ବେଶ୍ ଉତ୍ସାହଜନକ ସଫଳତା ହାସଲ କରିଛନ୍ତି। କଳା ବିଭାଗରେ ରୂପାଲି ନାୟକ ୫୫୨ ନମ୍ବର ରଖି କଲେଜ ଟପର ହୋଇଥିବା ବେଳେ ପ୍ରତୀକ୍ଷା ପ୍ରଧାନ ଦ୍ୱିତୀୟ ଓ ମୋନାଲିସା ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ବିଭାଗରେ ୧୩୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୫୪୨ ନମ୍ବର ସହ ଜାଗ୍ରତ ମୁଦୁଲି ପ୍ରଥମ ସ୍ଥାନରେ ଥିବା ବେଳେ ଅସିତ୍ ନାଥ ଦ୍ୱିତୀୟ ଓ ନିଖିଲ କୁମାର ସିଂହ ତୃତୀୟ ସ୍ଥାନ ପାଇଛନ୍ତି। ଏଥିରେ ୫୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।
ସେହିପରି ବିଜ୍ଞାନ ବିଭାଗରେ ରେକର୍ଡ ସଂଖ୍ୟକ ୨୩୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରତିକାନ୍ତ ବେହେରା ୫୮୬ ନମ୍ବର ରଖି କଲେଜ ଟପର ହୋଇଛନ୍ତି। ସୁଚରିତା ପ୍ରଧାନ ଦ୍ୱିତୀୟ ଏବଂ ହିତେଶ କୁମାର ସିଂହ ତୃତୀୟ ସ୍ଥାନ ହାସଲ କରି ସ୍କୁଲର ନାଁ ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।











