ଜମିବାଡ଼ି ବିବାଦ: ବୃଦ୍ଧଙ୍କୁ କାଙ୍କରେ ପିଟି ହତ୍ୟା, ବାପ-ପୁଅ ଗିରଫ

You are currently viewing ଜମିବାଡ଼ି ବିବାଦ: ବୃଦ୍ଧଙ୍କୁ କାଙ୍କରେ ପିଟି ହତ୍ୟା, ବାପ-ପୁଅ ଗିରଫ

ଅନୁଗୁଳ: ପଡ଼ୋଶୀଙ୍କୁ କାଙ୍କରେ ପିଟି ପିଟି ହତ୍ୟା। ରବିବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ବିଲେଇନାଳି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟାଧର ସାହୁ (୬୩)ଙ୍କୁ ତାଙ୍କ ପଡ଼ୋଶୀ ସ୍ବପ୍ନେଶ୍ଵର ସାହୁ ଓ ତାଙ୍କ ପୁଅ ଶ୍ରଦ୍ଧାକାନ୍ତ ସାହୁ ଏକ କାଙ୍କରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଏ ନେଇ ବିଦ୍ୟାଧରଙ୍କ ପୁଅ ନିହାର ସାହୁ ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ସୋମବାର ପୋଲିସ ସ୍ଵପ୍ନେଶ୍ଵର ଓ ତାଙ୍କ ପୁଅ ଶ୍ରଦ୍ଧାକାନ୍ତଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ୧୦୧/୨୫ ରେ ଏକ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ମୁତାବକ, ବିଦ୍ୟାଧର ଓ ସ୍ଵପ୍ନେଶ୍ଵରଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମି ବାଡ଼ି ବିବାଦ ଥିଲା। ଏନେଇ ଅନେକ ଥର ଗଣ୍ଡଗୋଳ ବି ହୋଇଛି। ଶନିବାର ଉଭୟଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ସହ ଥାନାରେ ୨ ଟି ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ହଣ୍ଡପା ପୋଲିସ ୯୭/୨୫ ଓ ୯୮/୨୫ ରେ ଦୁଇଟି କେସ୍‌ କରିଥିଲା। ଉଭୟ ମାମଲାର ଅଭିଯୁକ୍ତମାନେ ପରେ ଘରକୁ ଯାଇଥିଲେ।

ଏହି ମାମଲା ପରେ ରବିବାର ରାତିରେ ପୁଣି ସ୍ବପ୍ନେଶ୍ଵର ଓ ବିଦ୍ୟାଧରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ସ୍ଵପ୍ନେଶ୍ଵର ଓ ତାଙ୍କ ପୁଅ ଶ୍ରଦ୍ଧାକାନ୍ତ ଉତ୍‌କ୍ଷିପ୍ତ ହୋଇ ଘରେ ରଖିଥିବା କାଙ୍କରେ ବିଦ୍ୟାଧରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ବିଦ୍ୟାଧର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରୁ କାଙ୍କ ଜବତ କରି ତଦନ୍ତ କରୁଛି ପୋଲିସ।

Share

Leave a Reply