ଅନୁଗୁଳ: ରାସ୍ତା ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଅଛି। ଏହି ଅବସରରେ ସୋମବାର ପୂର୍ବାହ୍ଣରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବାହାରିଥିବା ୨ଟି ସଚେତନତା ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥି ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷର ବାର୍ତ୍ତା ‘ସଡ଼କ ସୁରକ୍ଷା-ଜୀବନ ରକ୍ଷା’ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଏହି ରଥ ୨ଟି ସଚେତନତା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଏକ ମାସ ଧରି ଅନୁଷ୍ଠିତ କରାଯିବ। ଏହି ସମୟ ଭିତରେ ଗାଡ଼ିମଟର ଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରିବା ସହ ଗାଡ଼ି ଚାଳକ ଓ ହେଲ୍ପରମାନଙ୍କର ଚକ୍ଷୁ ପରୀକ୍ଷା, ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃର୍ପକ୍ଷଙ୍କ ଦ୍ବାରା କରାଯିବ। ପୁଲିସ୍ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀଙ୍କ ମିଳିତ ସହଯୋଗରେ ମଦ୍ୟପାନ କରି ବେପରୁଆ ଗାଡ଼ିଚାଳନା, ଅତ୍ୟଧିକ ମାଲ ପରିବହନ, ମୋଟର ସାଇକେଲ୍ରେ ୩ ଜଣ ଯାତ୍ରା କରିବା, ହେଲ୍ମେଟ୍ ନ ପିନ୍ଧିବା ଆଦି ବିଭିନ୍ନ ଯାଞ୍ଚ କାର୍ଯ୍ୟକ୍ରମ କରାଯିବ। ଗୁଡ୍ ସମାରିଟାନ୍ ପଲିସୀ ଅନୁସାରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତଙ୍କୁ ସରକାରଙ୍କ ସୋଲାଟିୟମ୍ ଫଣ୍ତରୁ ୫୦ ହଜାର ଟଙ୍କା ଓ ମୃତ୍ୟୁ କ୍ଷେତ୍ରରେ ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସି˚ହାର ସୂଚନା ଦେଇଛନ୍ତି।
ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ବାହାରିଲା ସଚେତନତା ରଥ
- Post published:January 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
