ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ କାଇଁସାରିପାଲି ଗ୍ରାମରେ ନଦୀରେ ବୁଡ଼ି ଏକ ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ବଇଁଶୀ ନାଏକଙ୍କ ୬ ବର୍ଷର ଶିଶୁ ପୁତ୍ର ଆଦିତ୍ୟ ନାଏକ।
ବୁଧବାର ଗାଁ ପାଖରେ ଥିବା ମାଙ୍କଡ଼ା ନଦୀକୁ ଆଦିତ୍ୟ ମା’ ସାଙ୍ଗରେ ଗାଧୋଇବାକୁ ଯାଇଥିଲା। ମା’ ନଦୀରେ ଲୁଗା ସଫା କରୁଥିବା ବେଳେ ଆଦିତ୍ୟ ନଦୀରେ ବୁଡ଼ି ଯାଇଥିଲା। ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପାଳଲହଡ଼ା ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।