ଅନୁଗୁଳ: ବିଲକୁ ଧାନ ଆଣିବାକୁ ଯାଉଥିବା ବେଳେ ଶୁଣ୍ଢରେ କଚାଡ଼ି ମାରିଲା ହାତୀ। ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ବାଘୁବୋଲ ଗାଁରେ ଆଜି ଏଭଳି ଅଘଟଣ ଘଟିଛି। ମୃତକ ଜଣକ ହେଲେ ବାଗଡ଼ିଆ ଥାନା ବାଘୁଆବୋଲ ଗ୍ରାମର ମନ୍ଦୋଦରୀ ସାହୁ।
ସୂଚନା ମୁତାବକ, ମନ୍ଦୋଦରୀ ସାହୁ ଆଜି ସକାଳୁ ଘର ନିକଟରେ ଥିବା ବିଲକୁ ଧାନ ଅମଳ ପାଇ ଯାଉଥିଲେ। ଏହି ସମୟରେ ସେଠାରେ ଥିବା ୨୨ ଟିକିଆ ହାତୀପଲଙ୍କ ହାବୁଡ଼ରେ ପଡିଯାଇଥିଲେ। ଏକ ଦନ୍ତା ହାତୀ ମନ୍ଦୋଦରୀଙ୍କୁ ଶୁଣ୍ଢରେ କଚାଡି ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାୟୀ କରିବା ସହିତ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।
ଖବର ପାଇ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ରା ସୁଚିସ୍ମିତା ମହାପାତ୍ର ଓ ବାଗଡିଆ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା ପାଇ ଉଦ୍ୟମ କରିଥିଲେ। ପ୍ରାୟ ୨ ଘଣ୍ଟାରୁ ଧରି ପୋଲିସ, ବନବିଭାଗ ଓ ସ୍ଥାନୀୟ ଲୋକେ ଆଲୋଚନା ପରେ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କା ୨୪ ଘଣ୍ଟା ଭିତରେ ଦିଆଯିବା ସହିତ ବାକି ସରକାରୀ ସହାୟତା ଖୁବ ଶୀଘ୍ର ଯୋଗାଇ ଦିଆଯିବ, ହାତୀଙ୍କୁ ଘଉଡ଼ାଇବାର ବ୍ୟବସ୍ଥା, ପାଟ୍ରୋଲିଂ ଆଦି ପାଇଁ ପ୍ରତିଶ୍ରୁତି ମିଳିବ ପରେ ଲୋକେ ଶାନ୍ତ ପଡ଼ିଥିଲେ। ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏ ନେଇ ବାଗଡିଆ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।











