ଚିକେନ୍ କେଜି @ ୨୫୦, ଦୋକାନୀଙ୍କ ଇସାରା, ଆହୁରି ବଢ଼ିବ

You are currently viewing ଚିକେନ୍ କେଜି @ ୨୫୦, ଦୋକାନୀଙ୍କ ଇସାରା, ଆହୁରି ବଢ଼ିବ

ଅନୁଗୁଳ: ରଜ ପୂର୍ବରୁ ଚିକେନ୍ କିଲୋ ଥିଲା ୧୫୦ ଟଙ୍କା। ସହରରେ ଏହି ଦର ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ୧୨୦ରେ ମିଳୁଥିଲା ଚିକେନ୍। ମାତ୍ର ରଜ ପରଠୁ ଦର ଏମିତି ଉପରମୁହାଁ ହୋଇଛି ଯେ, ଖସିବାର ନାଁ ନେଉନି। ଅନୁଗୁଳ ସହରରେ ଚିକେନ୍ ଦର ୨ ଶହ ଟପି ୨୫୦ରେ ପହଞ୍ଚିଛି। ୨୦ ଦିନ ହେଲା ଏହି ଦର ଆମିଷ ଟକଳାଙ୍କ ପକେଟ୍‌କୁ ବାଧୁଥିବା ବେଳେ ଦୋକାନୀ ଇସାରା ଦେଉଛନ୍ତି, ଦର ଏବେ ଖସିବାର ନାହିଁ, ବରଂ ଆଗକୁ ବୃଦ୍ଧି ହୋଇପାରେ। କରୋନା କାଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। କାମଧନ୍ଦା ନଥିବାରୁ ଲୋକ ଘରେ ହାତବାନ୍ଧି ବସିଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର କିନ୍ତୁ ବଢ଼ିବାରେ ଲାଗିଛି। ତେଲଠୁ ପନିପରିବା ପର୍ଯ୍ୟନ୍ତ, କେଉଁଥିରେ ବି ହାତ ମାରିହେଉନି । ଏପଟେ ଆମିଷ ଦର ମଧ୍ୟ ଉଚ୍ଚା। ମଟନ୍ ଓ ମାଛ ଦର ଉପର ତଳ ହେଉଥିବା ବେଳେ ଚିକେନ୍‌ ଦର କିନ୍ତୁ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ପ୍ରାୟ ୧୫ ଦିନ ହେଲା ଚିକେନ୍ କିଲୋ ୨୨୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ ସବୁଠାରୁ ବଡ଼କଥା ହେଲା, ଚିକେନ ଦର ବଢ଼ିଥିଲେ ହେଁ ବ୍ୟବସାୟ କମିନି । ବରଂ ଏବେ ଚିକେନ୍‌ର ଚାହିଦା ବଢ଼ିବା ସହ ଅଧିକ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି। ନନଭେଜ୍ ମାର୍କେଟର ଜଣେ ବ୍ୟବସାୟୀ କହିଛନ୍ତି, ଚିକେନ୍‌ ଦର ସେପଟୁ ବଢ଼ିଛି। ଆମେ ଅଧିକ ଦାମ ଦେଇ କିଣୁଛୁ I ଲକଡାଉନ୍ ଓ ସଟଡାଉନ୍ ପାଇଁ ଦର ବଢ଼ିଥିବା କୁହାଯାଉଛି। ତେବେ ଏହି ଦର ଏବେ ଲାଗିରହିବ ବୋଲି ସେ ପ୍ରକାଶ କରିଛନ୍ତି।

Share

Leave a Reply