ଅନୁଗୁଳ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି। ସହରର ହୁଲୁରିସିଂହା ସ୍ଥିତ ଶୁଖିଲା ଚଉକୁଳି ବନ୍ଧ ଗର୍ଭରେ ଏକ କ୍ରିକେଟ ମ୍ୟାଚ୍ ଆୟୋଜନ କରି ଦଳ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ନଗର କଂଗ୍ରେସ କମିଟି ସଭାପତି ରଶ୍ମିରଂଜନ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କଂଗ୍ରେସର ଅଭିଯୋଗ ଅନୁଯାୟୀ, ଚଉକୁଳି ବନ୍ଧ ସହ ସହରର ଅନ୍ୟାନ୍ୟ ଜଳାଶୟର ପୁନରୁଦ୍ଧାର ପାଇଁ ପୌରପାଳିକା ଓ ପ୍ରଶାସନକୁ ବାରମ୍ବାର ଜଣାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ବର୍ତ୍ତମାନ ସହରରେ ଜଳ ସମସ୍ୟା ଉଗ୍ର ରୂପ ଧାରଣ କରିଥିବା ବେଳେ ବାସିନ୍ଦା ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଜଳାଶୟଗୁଡ଼ିକର ସଂସ୍କାର ନହେବା ଯାଏ ଏଭଳି ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ଏହି କ୍ରିକେଟ ମ୍ୟାଚ୍ ଅବସରରେ ପୂର୍ବତନ ନଗର ସଭାପତି ସୁଦୀପ ମିଶ୍ର, ସଞ୍ଜୀବ ମାଣ୍ଡୋଠିଆ, ସୁଶିଲ ମିଶ୍ର, ପ୍ରକାଶ ସେଠୀ, ରାକେଶ ସାହୁ, ସତ୍ୟବ୍ରତ କର୍ଣ୍ଣ ଓ ବିଶ୍ବନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।











