ଅନୁଗୋଳ: ପାଳଲହଡ଼ା ଉପଖଣ୍ଡ ଜମରଡ଼ିହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନଃ ଚାଲୁ କରିବା ସହ ୪ ଦଫା ଦାବି ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଗତ ଜୁନ୍ ୧ରୁ ଏହାକୁ ଏକ ଏନଜିଓକୁ ହସ୍ତାନ୍ତର କରାଯାଇଥିବାବେଳେ ଜୁଲାଇ ୩୧ରୁ ଏହା ବନ୍ଦ ରହିଛି। ଫଳରେ ପାଉଡ଼ି ଭୂୟାଁ ଅଞ୍ଚଳର ୫ଟି ଗାଁର ଲୋକେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।
ପୂର୍ବରୁ ଏନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବାବେଳେ, ଶନିବାର କିଛି ଗ୍ରାମବାସୀ ଜିଲ୍ଲାପାଳ ଅବଦ୍ଦାଲ ଏମ୍ ଅଖତାରଙ୍କୁ ଭେଟି ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି। ତେବେ ଆଦିବାସୀଙ୍କୁ ଭ୍ରମିତ କରାଯାଉଥିବା ଅଭିଯୋଗ ହୋଇଥିବାବେଳେ, ଏହି ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସଙ୍ଗ ଏବେ ସମ୍ପୂର୍ଣ୍ଣ ରାଜନୈତିକ ରୂପ ନେଇଥିବା ଦେଖିବାକୁ ମିଳିଛି।











