CADLAB

ବଳରାମ କୋଇଲା ଖଣିରୁ ଡିଜେଲ୍ ଚୋରି, ଏମ୍‌ସିଏଲ୍‌ର ଦୁଇ କର୍ମଚାରୀ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ଅଧୀନସ୍ଥ ଏଠାକାର ବଳରାମ କୋଇଲା ଖଣିରୁ ରବିବାର ଡିଜେଲ ଚୋରି କରୁଥିଲା ବେଳେ ୨ ଜଣ ମହାନଦୀ କୋଇଲା କମ୍ପାନୀ କର୍ମଚାରୀ ଧରାପଡ଼ି ଗିରଫ ହୋଇଥିବା ଜଣାପଡ଼ିଛି । ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ବଳରାମ ଖଣି ଅଞ୍ଚଳରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଡମ୍ପର ଗାଡ଼ିରୁ ଏମ୍‌ସିଏଲ୍ କର୍ମଚାରୀ ରାକସ ଗ୍ରାମର ଅମର ଗୋଚ୍ଛାୟତ ଓ ଘଣ୍ଟପଡ଼ା ଗ୍ରାମର ସୁଶାନ୍ତ ପ୍ରଧାନ ଡିଜେଲ୍ ଚୋରି କରି ଜାରକିନରେ ଭର୍ତ୍ତି କରୁଥିଲା ସମୟରେ ସେମାନଙ୍କୁ ବଳରାମ ଖଣିର ପ୍ରକଳ୍ପ ଅଧିକାରୀ ସୁନୀଲ ଯୋଶୀ ଘଟଣାସ୍ଥଳରୁ ଧରି କୋଲିୟରୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅମର ଓ ସୁଶାନ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଦୁଇଜଣ ପୂର୍ବରୁ ଡମ୍ପର ଅପରେଟରମାନଙ୍କୁ ଧରାଧରି କରି ଚୋରା ଡିଜେଲ କାରବାର ଚଳାଇ ଆସୁଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ଆହୁରି ଅନେକ ଅସାଧୁ କର୍ମଚାରୀ ଓ ଡମ୍ପର ଅପରେଟର ଡିଜେଲ୍ ଚୋରିରେ ସଂଶ୍ଳିଷ୍ଟ ଥିବା ପୁଲିସ ଜାଣିବାକୁ ପାଇଛି । ଏହାର ତଦନ୍ତ ଚଳାଇ ଏହି ଅସାଧୁ କର୍ମଚାରୀ ମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି।

Leave A Reply

Your email address will not be published.