ନକଲି ଶିକ୍ଷକ ଧରାପଡ଼ିଲେ

You are currently viewing ନକଲି ଶିକ୍ଷକ ଧରାପଡ଼ିଲେ

ଅନୁଗୁଳ: ଜିଲ୍ଲା ଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ବର୍ଷେ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୦ ବର୍ଷ ହେଲା ଜଣେ ଯୁବକ କରିଆସୁଥିଲେ ଶିକ୍ଷକତା। ଯୋଗ୍ୟତା ନଥାଇ କେବଳ ପିଲାଙ୍କୁ ପଢ଼ାଇ ନଥିଲେ, ବରଂ ମାସକୁ ମାସ ଦରମା ମଧ୍ୟ ପାଉଥିଲେ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ଏମିତି ଜଣେ ନକଲି ଶିକ୍ଷକ ନାମରେ ପୁଲିସରେ ଏତଲା ହୋଇଛି । ସେ ଜାଲ୍ ବିଇଡି ସାର୍ଟିଫିକେଟ୍ ଦାଖଲ କରି ଚାକିରି କରିଥିବା ଅଭିଯୋଗ ହୋଇଛି। ଏହି କାରସାଦି ଧରିବା ପରେ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବ୍ଲକ୍ ଶିକ୍ଷା ଅଧିକାରୀ। ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରିବା ସହ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି।ପ୍ରାପ୍ତ ସୂଚନା ମୁତାବକ, ନଭେମ୍ବର ୨୦୧୧ ମସିହାରୁ ଜିଲ୍ଲାରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକ, କନିଷ୍ଠ ଶିକ୍ଷକ, ଠିକା ଶିକ୍ଷକ ଓ ଭାଷା ଶିକ୍ଷକଙ୍କ ଉଚ୍ଚଶିକ୍ଷା, ସିଟି, ବିଇଡି ଆଦି ସାର୍ଟିଫିକେଟ୍ ପାଞ୍ଚ ଚାଲିଛି। ଡିଇଓଙ୍କ ନିର୍ଦ୍ଦେଶ କ୍ରମେ ଆଠମଲ୍ଲିକ ବିଇଓ ଦାଶରଥୀ ଶୁଣ୍ଠୀ ଶିକ୍ଷକମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ବେଳେ ନୀଳକଣ୍ଠପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଥିବା ସୁମନ୍ତ କୁମାର ପ୍ରଧାନନାମକ ଜଣେ ଶିକ୍ଷକଙ୍କ ବିଇଡ଼ି ସାର୍ଟିଫିକେଟ୍‌ ଜାଲ୍ ବୋଲି ଜଣାପଡ଼ିଥିଲା । ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବାରୁ ବିଇଓ ଶ୍ରୀ ଶୁଣ୍ଢି ଏନେଇ ଆଠମଲ୍ଲିକ ଥାନାରେ ବୁଧବାର ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସୁମତଙ୍କୁ ଗୁରୁବାର ନିରଫ କରିବା ସହ ପଚରାଉଚୁରା କରିବା ପରେ କୋର୍ଟଚାଲାଣ କରିଥିଲା।

Share

Leave a Reply