ଅନୁଗୁଳ: ଅନୁଗୁଳ ପୌରପାଳିକାରେ କାର୍ଯ୍ୟରତ ଦୁଇ ଯନ୍ତ୍ରୀ ଦୁର୍ଗା ପଟ୍ଟନାୟକ ଓ ରବୀନ୍ ଦାସଙ୍କୁ ଦୁଇ ଜଣ ଦୁର୍ବୃତ୍ତ ସୋମବାର ସନ୍ଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି । ଦୁହେଁ ସାଇଟ୍ ପରିଦର୍ଶନ କରି ଫେରୁଥିବା ବେଳେ ଅନୁଗୁଳ ବିଦ୍ୟୁତ୍ ଥାନା ସମ୍ମୁଖ ତଥା ଏସ୍ପିଙ୍କ ସରକାରୀ ବାସଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ନିସ୍ତୁକ ପିଟି ଫେରାର୍ ହୋଇଯାଇଥିଲେ । ରାତିରେ ଅଭିଯୋଗ ହେବା ପରେ ଦୁଇ ଅଜଣା ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୁଇ ଯନ୍ତ୍ରୀ ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ ମୂଳକ ପ୍ରକଳ୍ପ ତଦାରଖ କରି ସନ୍ଧ୍ୟାରେ ଏକ ମଟର ସାଇକେଲ୍ରେ ଅଫିସ୍ ଫେରୁଥିଲେ । ସର୍କିଟ୍ ହାଉସ୍ ରାସ୍ତା ଦେଇ ଅଫିସ ଆଡ଼କୁ ଆସିଲା ବେଳେ ବିଦ୍ୟୁତ୍ ଥାନା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଦୃତ ଗତିରେ ଏକ ମଟର ସାଇକେଲରେ ଆସି ଅଟକାଇଥିଲେ। ଶ୍ରୀ ପଟ୍ଟନାୟକ ଓ ଶ୍ରୀ ଦାସ କିଛି ବୁଝିବା ପୂର୍ବରୁ ଦୁବୃତ୍ତ ଦୃୟ ଆଖିବୁଜା ପିଟି ଚାଲିଥିଲେ। ମନ ବୁଝିବା ପରେ ଅଭିଯୁକ୍ତ ଦ୍ବୟ ଆଖି ପିଛୁଳାକେ ସତସଙ୍ଗ ବିହାର ରାସ୍ତା ଦେଇ ଖସି ଯାଇଥିଲେ । ଏହି ଘଟଣା ପୌର କର୍ମଚାରୀଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ଦୁଇ ଯନ୍ତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅନୁସନ୍ଧାନ ଚଳାଇଛି ।
ଦୁଇ ପୌର ଯନ୍ତ୍ରୀଙ୍କୁ ନିର୍ଧୂମ ମାଡ଼
- Post published:March 16, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
