ଅନୁଗୋଳ: ସମୟ ବଦଳିଛି, ବୟସ ବଢ଼ିଛି, ହେଲେ ବନ୍ଧୁତ୍ୱରେ ଆସିନାହିଁ କୌଣସି ଭଟ୍ଟା। ଦୀର୍ଘ ୫୧ ବର୍ଷ ପରେ ଏକାଠି ହୋଇ ପୁରୁଣା ଦିନର ସ୍ମୃତି ସାଉଁଟିଛନ୍ତି ପାଞ୍ଚ ସହପାଠୀ। ୧୯୭୩ ମସିହାରେ ଛେଣ୍ଡିପଦା ଶିକ୍ଷକ ତାଲିମ କେନ୍ଦ୍ରରେ ତାଲିମ ନେବା ସମୟରେ ସେମାନଙ୍କ ବନ୍ଧୁତ୍ୱ ଗଢ଼ିଉଠିଥିଲା।
ଚାକିରି ଓ ସଂସାରର ବ୍ୟସ୍ତତା ଯୋଗୁଁ ପରବର୍ତ୍ତୀ ସମୟରେ ସମସ୍ତେ ଅଲଗା ହୋଇଯାଇଥିଲେ। ହେଲେ ୫୧ ବର୍ଷ ପରେ ପୁଣି ଭେଟିବାକୁ ମନସ୍ଥ କରି ତାଳଚେର ଥର୍ମାଲସ୍ଥିତ ଅବସରପ୍ରାପ୍ତ ଶିକ୍ଷାବିତ୍ ତଥା ଗବେଷକ ଡ. ମହେଶ୍ୱର ପ୍ରଧାନଙ୍କ ବାସଭବନରେ ଏକାଠି ହୋଇଥିଲେ।
କାମାକ୍ଷାନଗରର ହାଡ଼ିବନ୍ଧୁ ବେହେରା, ପାଳଲହଡ଼ାର ପବିତ୍ରମୋହନ ପ୍ରଧାନ, ଆଠମଲ୍ଲିକର ଦୀନବନ୍ଧୁ ସାହୁ, କଣିହାଁର ଦ୍ୱାରିକାନାଥ ବେହେରା ଓ ଡ. ମହେଶ୍ୱର ପ୍ରଧାନ ପରସ୍ପରକୁ ଭେଟି ଭାବବିହ୍ୱଳ ହୋଇପଡ଼ିଥିଲେ। ପୁରୁଣା ସ୍ମୃତି ଓ ପରିବାର ସମ୍ପର୍କରେ ଆଲୋଚନା ସହ ଦୁଇ ଦିନ ଏକାଠି ସମୟ ବିତାଇଥିଲେ। ଡ. ପ୍ରଧାନ ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।












