ଅନୁଗୁଳ: ୩ ଦିନ ହେଲା ଅନ୍ଧାରରେ ଶାବଳଭଙ୍ଗା ଏବଂ ଏହାର ଆଖପାଖ ୪ ଗାଁ। ଖବର ଦେଲେ ବି ଆସୁନାହାନ୍ତି ବିଦ୍ୟୁତ କର୍ମଚାରୀ। ଏଣୁ ଇଲେକ୍ଟ୍ରିକ ସଂଯୋଗ ଦାବିରେ ଆଜି ସନ୍ଧ୍ୟାରେ ଶାବଳଭଙ୍ଗା ଗାଁର ଶହଶହ ଲୋକେ ରାସ୍ତାରେ ଏକାଠି ହୋଇଥିଲେ। ଗାଁ ଲୋକେ ଲାଇନ କାଟକୁ ନେଇ ପ୍ରତିବାଦ କରିଥିବା ବେଳେ ଆଗାମୀ ପନ୍ଥା ପାଇଁ ଗାଁ ମନ୍ଦିରରେ ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡକାଯାଇଥିଲା। ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ ଟାଟା ପାୱାରର କୌଣସି ଉଚ୍ଚ କର୍ତ୍ତୃପକ୍ଷ ଏଯାବତ ଗାଁରେ ପହଞ୍ଚିନଥିବା ବେଳେ କାର୍ଯ୍ୟାଳୟରେ ବସି ତଳିଆ କର୍ମଚାରୀଙ୍କୁ ପଠାଇ ସମସ୍ୟା ସମାଧାନ କରିବା କୁ ପ୍ରଚେଷ୍ଟା କରୁଥିବା ଲୋକେ ଅଭିଯୋଗ ଆଣିଛନ୍ତି। କନିଷ୍ଠ ଯନ୍ତ୍ରୀକୁ ମୋହରା ବନାଇ ବଡ଼ ବାବୁମାନେ ଏସି ରୁମରୁ ବାହାରୁନାହାନ୍ତି।
ଏପରିକି ଗତ କାଲି ରାତି ୧ଟା ଯାଏଁ ସଦର ଥାନା ଅଧିକାରୀ ମୃଣାଳ କାଲୋ ଏବଂ ବନ୍ତଳା ସେକ୍ସନ ଯନ୍ତ୍ରୀ ମାଧବାନନ୍ଦ ସାହୁ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ବି କିଛି ନିଷ୍କର୍ଷ ବାହାରିପାରିନାହିଁ। ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ୪ ଗାଁକୁ ବିଜୁଳି ଦେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।