ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଛି ନିଖୋଜ ସଂଖ୍ୟା। ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ଯୁବତୀ ଓ ମହିଳା ନିଖୋଜଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏବେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି। ସୂଚନା ମୁତାବକ, ଗତ ୫ ବର୍ଷ ମଧ୍ୟରେ ଅନୁଗୁଳରେ ନିଖୋଜଙ୍କ ସଂଖ୍ୟା ୫ ଗୁଣ ବଢ଼ିଛି। ଏତେ ସଂଖ୍ୟକ ଲୋକ କୁଆଡ଼େ ଗଲେ ତାଙ୍କ ପତ୍ତା ଲଗାଇ ପାରିନି ପୋଲିସ, ଯାହା ପୋଲିସ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
ଅନୁଗୁଳରେ ୨୦୧୭ରୁ ୨୦୨୨ ମସିହା ମଧ୍ୟରେ ହଜାରେରୁ ଅଧିକ ଲୋକଙ୍କ ନାଁରେ ନିଖୋଜ ଥିବା ନେଇ ମାମଲା ରୁଜୁ ହୋଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ ପୋଲିସ ୮୬୬ ଜଣଙ୍କୁ ଖୋଜି ପାରିନାହିଁ। ଅନୁଗୁଳ ଜିଲ୍ଲା ପୋଲିସର ଏହି ତଥ୍ୟ ଅନେକଙ୍କୁ ବ୍ୟଥିତ କରିଛି।
ସୂଚନା ଅନୁସାରେ, ୨୦୧୭ ରେ ଜିଲ୍ଲାରେ ୧୭ ଜଣ ଝିଅ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ସେଥିରୁ ପୋଲିସ ୧୬ ଜଣଙ୍କ ପତ୍ତା ପାଇଥିବା ବେଳେ ଏବେ ବି ଜଣେ ନିରୁଦ୍ଦିଷ୍ଟ ରହିଛି। ସେହିପରି ନିଖୋଜ ପୁଅ ସଂଖ୍ୟା ୧୦ ହୋଇଥିବା ବେଳେ ୯ ଜଣଙ୍କୁ ଠାବ କରାଯାଇଛି। ତେବେ ପୁଅ ଓ ଝିଅଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ୧୦ଗୁଣ ଅଧିକ। ୨୦୧୭ ମସିହାରେ ମୋଟ୍ ୧୪୯ ଜଣ ମହିଳା ନିଖୋଜ ଥିଲେ। ସେଥିରୁ ୧୦୫ଜଣଙ୍କୁ ପୋଲିସ ଖୋଜିଥିବା ବେଳେ ୪୪ ଜଣଙ୍କର ଏବେ ବି ପତ୍ତା ମିଳିନାହିଁ। ସେହିପରି ୪୭ଜଣ ପୁରୁଷଙ୍କ ମଧ୍ୟରୁ ୨୫ଜଣ ଠାବ ହୋଇଥିବା ବେଳେ ୨୨ ଜଣଙ୍କୁ ପୋଲିସ ଖୋଜି ପାରିନାହିଁ ।
ନିଖୋଜଙ୍କ ସଂଖ୍ୟା ୨୦୧୭ ରେ ୬୮ ଥିବା ବେଳେ ୨୦୧୮ରେ ୧୪୬, ୨୦୧୯ରେ ୧୮୯, ୨୦୨୦ରେ ୧୫୫, ୨୦୨୧ରେ ୩୦୮ ରହିଥିବା ଜଣାଯାଇଛି। ତେବେ ଏତେ ଲୋକ ଗଲେ କୁଆଡ଼େ ସେ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ମାନବ ଚାଲାଣ ଗ୍ୟାଙ୍ଗ ଥିବା ସନ୍ଦେହ ବଢ଼ିଥିବା ବେଳେ ପୋଲିସ ଅଧିକ ତତ୍ପର ହେବାକୁ ଦାବି ହୋଇଛି।