କାଉନସିଲରଙ୍କୁ ଆକ୍ରମଣ ଘଟଣା: ଭାଇ ହେଲା ଭଗାରି

You are currently viewing କାଉନସିଲରଙ୍କୁ ଆକ୍ରମଣ ଘଟଣା: ଭାଇ ହେଲା ଭଗାରି

ଅନୁଗୁଳ: ଅନୁଗୁଳ ପୌର ପରିଷଦର କାଉନସିଲରଙ୍କୁ ଆକ୍ରମଣ ଘଟଣାରେ ପୁଲିସ କାଉଁସିଲରଙ୍କ ବଡ଼ ଭାଇଙ୍କସହ ୩ ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୦ଟା ବେଳେ କାଉନସିଲର ରଞ୍ଜିତ ମାଣ୍ଡୋଠିଆ ବଜାରରେ ଥିବା ତାଙ୍କ ଦୋକାନ ବନ୍ଦକରି ଘରକୁ ଫେରିବା ବେଳେ ୨ଟି ବାଇକରେ ୪ ଜଣ ଯୁବକ ହଠାତ ତାଙ୍କ ନିକଟରେ ପହଞ୍ଚି ଗାଳିଗୁଲଜ କରିବା ସହ ବାଇକରେ ବସିଥିବା ଜଣେ ଯୁବକ ଟାଙ୍ଗିଆ ବାହାର କରି ରଞ୍ଜିତଙ୍କୁ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟ ରଞ୍ଜିତଙ୍କ କାନ୍ଧରେ ହାଲୁକାଭାବେ ଲାଗିଥିବା ବେଳେ ତାଙ୍କ ପାଟି ଶୁଣି ଯୁବକମାନେ ପଳାଇଥିଲେ।

ଏ ନେଇ ରଞ୍ଜିତ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଏଥିରେ ସମ୍ପୃକ୍ତ ୩ ଜଣ ଭଡ଼ାଟିଆ ଗୁଣ୍ଡା ଛେଳିଆପଡ଼ାର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ(୨୬), ବଲାସିଂହା ଗାଁର ପ୍ରଦ୍ୟୁମ୍ନ ବାରିକ(୨୨), ଶୁଶୁଡ଼ା ଗାଁର ଚିକୁ ଓରଫ ଅଜିତ କୁମାର ଦାସ(୨୧)ଙ୍କ ସହ ସୁପାରୀ ଦେଇଥିବା ରଞ୍ଜିତଙ୍କ ବଡ଼ ଭାଇ ପବନ କୁମାର ମାଣ୍ଡୋଠିଆଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି। ରଞ୍ଜିତଙ୍କ ପରିବାରରେ ବହୁ ଦିନରୁ ଗଣ୍ଡଗୋଳ ଲାଗିରହିଥିଲା। ଯାହା ଫଳରେ ରଞ୍ଜିତଙ୍କ ସହ ତାଙ୍କ ବାପା ଗୋଟିଏ ୱାର୍ଡ କାଉସିଲରେ ପ୍ରାର୍ଥୀ ହୋଇ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ଏହା ଦିନକୁ ଦିନ ଉଗ୍ର ହେବାକୁ ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Share

Leave a Reply