ଅନୁଗୁଳ: ଅନୁଗୁଳ ଜିଲ୍ଲା ଜେଏସପିଏଲ୍ ଦ୍ବାରା ଜମି ହରାଇଥିବା ଜରଡା ଗ୍ରାମବାସୀମାନଙ୍କର ବହୁବିଧ ସମସ୍ୟା ନେଇ ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜରଡା ଗ୍ରାମବାସୀ ଓ ଜେଏସପିଏଲ୍ ସହିତ ତ୍ରିପାକ୍ଷିକ ଆଲୋଚନା ଜିଲ୍ଳା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜେଏସପିଏଲ୍ କ୍ଷତିଗ୍ରସ୍ତ ପ୍ରକାମାନଙ୍କୁ ନିଯୁକ୍ତି ଓ ଥଇଥାନ କରାଯିବା ସମ୍ପର୍କରେ ଦାବି ଉପସ୍ଥାପନ ହୋଇଥିଲା। ପ୍ରଜା ସଂଘ ତାଲିକା ଦେଲେ ୨ ମାସ ମଧ୍ୟରେ ଏହାର ତର୍ଜମା କରାଯାଇ ଜିଲ୍ଲାପାଳଙ୍କୁ ଏହି ତାଲିକା ପ୍ରଦାନ କରାଯିବ। ଗ୍ରାମବାସୀମାନଙ୍କର ଅନୁରୋଧ କ୍ରମେ ଜେଏସପିଏଲ୍ ସହିତ ନିଯୁକ୍ତି ନିମନ୍ତେ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ମହାବନ୍ଧ ବଦଳରେ ଗ୍ରାମରେ ଥିବା ୧୮ ଏକର ଆନ୍ୟ ଏକ ବନ୍ଧକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରାଯିବ। ଏହି ପୁନରୁଦ୍ଧାର କାର୍ଯ୍ୟ ଉଭୟ ମେସିନ୍ ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ମିଳିତ ସହଯୋଗରେ ହେବ। ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଜେଏସପିଏଲ୍ ୪ ଲକ୍ଷ ଟଙ୍କା ବ୍ୟୟ କରିବ। ଏହି ସ୍କୁଲର ଖେଳପଡିଆକୁ ଆଲୋକିକରଣ କରିବା ସହ ପାନୀୟ ଜଳ ନିମନ୍ତେ ନଳକୂପର ବ୍ୟବସ୍ଥା କରାଯିବ। ଆରଡି ରାସ୍ତା ପାର୍ଶ୍ବରେ ଥିବା ଖେଳପଡିଆର ପାଚେରୀ ନିର୍ମାଣ କରାଯିବ। ଜରଡା ଗ୍ରାମର ଗୋଚର ଓ ସରକାରୀ ଜାଗା ଜେଏସପିଏଲ୍ ଅଧିନରେ ଥିବାରୁ ଅନୁଗୁଳ ଉପଜିଲ୍ଲାପାଳ ଓ ବଅଁରପାଳ ତହସିଲଦାର ଏହାକୁ ତର୍ଜମା କରି ରିପୋର୍ଟ ପ୍ରଦାନ କରିବେ। ଜେଏସପିଏଲ୍ କାରଖାନା ପରିସରଭୁକ୍ତ ଗୃହଗୁଡିକର ୫୦ ପ୍ରତିଶତ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହା ପ୍ରଦାନ କରିନାହାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଏହାକୁ ତର୍ଜମା କରି ଏହାର ସତ୍ୟାସତ୍ୟ ବାହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜାଗାର ବକେୟା ଅର୍ଥ କୋର୍ଟ ଓ ଭୂ-ଅର୍ଜନ କାର୍ଯ୍ୟାଳୟରେ ରହିଥିବାରୁ ଏହାକୁ ତୁରନ୍ତ ପ୍ରଦାନ କରିବାକୁ ଜେଏସପିଏଲ୍ କର୍ତ୍ତୃପକ୍ଷକୁ ପରାମର୍ଶ ଦିଆଯାଇଛି। ଜେଏସପିଏଲ୍ ପରିସରରେ ଥିବା ପରିବାରଗୁଡିକୁ ବିସ୍ଥାପିତ ପରିବାରରେ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଜେଏସପିଏଲରୁ ଛଟେଇ ହୋଇଥିବା ସୁନିଲ ସାହୁଙ୍କୁ ପୁନଃ ନିଯୁକ୍ତି ଦେବାକୁ ଜିଲ୍ଲାପାଳ ଏହାର ବିଚାର କରିବା ନିମନ୍ତେ କମ୍ପାନି କର୍ତ୍ତୃପକ୍ଷକୁ ପରାମର୍ଶ ଦେଇଛନ୍ତି। ୩ବର୍ଷ ଚାକିରି କରିଥିବା ଦକ୍ଷ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବାକୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ସପ୍ତାହର ଶନିବାର ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୂ- ଅର୍ଜନ ଅଧିକାରୀ ଓ ଜେଏସପିଏଲର କର୍ତ୍ତୃପକ୍ଷ ଓ କ୍ଷତିଗ୍ରସ୍ତ ପ୍ରଜା କମିଟିକୁ ନେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଆପୋଷ ସମାଧାନ କରାଯିବ। ଅଧିଗ୍ରହଣ କରିଥିବା ଠାକୁର ଶ୍ରୀ ବ୍ରଜମୋହନ ଜିଉ ଓ ବିଦ୍ୟାଳୟ ଜାଗାକୁ ତର୍ଜମା କରି ହସ୍ତାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ଜେଏସପିଏଲର ନିର୍ବାହ ନିର୍ଦ୍ଦେଶକ ଦିବେଶ୍ବର ଝା, ଡେପୁଟି କଲେକ୍ଟର ବଇତୁରା ଦିପ୍, ବଅଁରପାଳ ତହସିଲଦାର, ୬ଟି ବିସ୍ଥାପିତ ଗ୍ରାମ କମିଟିର ସଭାପତି ରଂଜନ କୁମାର ଦାସ, ସମ୍ପାଦକ ରମାକାନ୍ତ ପ୍ରଧାନ ଓ ଗ୍ରାମ ସଭାପତି ରତ୍ନାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
କ୍ଷତିଗ୍ରସ୍ତ ପ୍ରଜା ସଂଘ, ଜେଏସପିଏଲ୍ ଓ ଜିଲ୍ଲା ପ୍ରଶାସନର ବୈଠକ
- Post published:December 5, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
