ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ମହାନବମୀ ଅବସରରେ ସକାଳେ ସୂର୍ଯ୍ୟ ପୂଜା,ଗୋ ପୂଜା,ମହାଚଣ୍ଡି ଯଜ୍ଞ,ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଏହାପରେ ଦିନ ଏଗାରଟା ସମୟରେ ନବକୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା। କୁନିକୁନି ୯ଜଣ କନ୍ୟା ମାନଙ୍କୁ ଦେବୀଙ୍କ ବେଶରେ ସଜ୍ଜିତ କରି ସେମାନଙ୍କୁ ମହାଗୌରୀଙ୍କ ସ୍ୱରୂପ ଭାବେ ପୂଜା କରାଯାଇଥିଲା।ଶ୍ରଦ୍ଧାଳୁ ମାନେ ଏହି ନବକୁମାରୀଙ୍କ ଠାରୁ ଆଶିଷ ଗ୍ରହଣ କରିଥିଲେ।
ବାସନ୍ତୀ ଦୁର୍ଗା ପଡ଼ିଆରେ ଆଜି ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା।ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରକୁ ଅନୁଗୁଳ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ଗଛ ଚାରା ବଣ୍ଟନ କରାଯାଇଥିଲା।
ସନ୍ଧ୍ୟାରେ ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ମା ବାସନ୍ତୀ ଦୁର୍ଗା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମାରୋହରେ ଅନୁଗୁଳ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଗୁଳକୁ ଏକ ସୁନ୍ଦର ସମୃଦ୍ଧ ସହରରେ ପରିଣତ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାକାର ଓ ନାଟ୍ୟମକୁ ସମ୍ବର୍ଦ୍ଧିତ କରା ଯାଇଥିଲା।ସେହିଭଳି ନୃତ୍ୟ ଗୁରୁ ଅନିତା ସିଂହ ଦେଓ, ଲେଖକ ଅକ୍ଷୟ କୁମାର ପଟ୍ଟନାୟକ,ଆଦର୍ଶ ଶିକ୍ଷୟିତ୍ରୀ ଯାମିନି ବାଳା ଦାସ,କ୍ରୀଡାବିତ୍ ନୀଳମଣି ଦାସ ଏବଂ ଶିକ୍ଷାବିତ୍ ବାଳକୃଷ୍ଣ ପଟ୍ଟନାୟକଙ୍କୁ ମରଣତ୍ତର ଭାବେ ମାନ ପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପଟ୍ଟନାୟକ,ପ୍ରତାପ ମାଝି,ଉପଦେଷ୍ଟା ପ୍ରଦୀପ ଦେବତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନ। କରିଥିଲେ। ଆସନ୍ତା କାଲି ମହଦଶମୀ ପୂଜା ସହ ପୁର୍ଣ୍ଣାହୁତି ଅନୁଷ୍ଠିତ ହେବ।