ଅନୁଗୋଳ : ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଅନୁଗୋଳ ସହରରେ ଆଜି ଏକ ଅତ୍ୟାଧୁନିକ ‘ଆଧାର ସେବା କେନ୍ଦ୍ର’ର ଶୁଭାରମ୍ଭ ହୋଇଛି। UIDAI ଏବଂ BLS ଇଣ୍ଟରନ୍ୟାସନାଲର ସହଯୋଗରେ ପ୍ରତିଷ୍ଠିତ ଏହି କେନ୍ଦ୍ରକୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। କାଲଟେକ୍ସ ଛକ ନିକଟସ୍ଥ କ୍ରେସେଣ୍ଟ କନଭେନସନ ବିଲ୍ଡିଂରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି।
ଦୀର୍ଘ ଦିନ ଧରି ଅନୁଗୋଳବାସୀ ନୂତନ ଆଧାର ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଓ ବାୟୋମେଟ୍ରିକ ଅପଡେଟ୍ ପାଇଁ ଭୁବନେଶ୍ୱର ଉପରେ ନିର୍ଭର କରୁଥିଲେ। ଏହି କେନ୍ଦ୍ର ଖୋଲିବା ଫଳରେ ଏବେ ଲୋକେ ସ୍ଥାନୀୟ ସ୍ତରରେ ସହଜରେ ଏହି ସମସ୍ତ ସେବା ପାଇପାରିବେ। ଏହି କେନ୍ଦ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହା ସପ୍ତାହର ସାତୋଟି ଦିନ ଖୋଲା ରହିବ। ଏହି ଜନହିତକର ପଦକ୍ଷେପକୁ ଜିଲ୍ଲାବାସୀ ସ୍ୱାଗତ କରିଥିବାବେଳେ, ବିଧାୟକ ଶ୍ରୀ ପ୍ରଧାନ ଏଥିପାଇଁ UIDAI ଏବଂ BLS ଇଣ୍ଟରନ୍ୟାସନାଲକୁ କୃତଜ୍ଞତା ଜଣାଇଛନ୍ତି।











