ଅନୁଗୁଳ: ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ମାସକୁ ୨୧ ହଜାର ଟଙ୍କା ଦରମା, ଭବିଷ୍ୟନିଧ୍ ଅନ୍ତର୍ଭୁକ୍ତ କରାଯିବା, ପେନସନ ବ୍ୟବସ୍ଥା, ୨୮ ମାସର ବର୍ଦ୍ଧିତ ବକେୟା ଦରମା ପ୍ରଦାନ, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ୨୦୧୮ ଜାନୁଆରୀରୁ ମାସିକ ୨ହଜାର ଟଙ୍କା ମୁତାବକ ଦରମା ପ୍ରଦାନ, ପାଚିକା ସହାୟିକାଙ୍କୁ ପରିଚୟପତ୍ର ପ୍ରଦାନ ସହ ବର୍ଷକୁ ୨ ହଳ ଶାଢ଼ୀ ପ୍ରଦାନ, ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ଦରମା ପ୍ରଦାନ, କରୋନା ସମୟରେ ପ୍ରତ୍ୟେକ ମାସର ଦରମା ସହ କୋଭିଡ ସହାୟତା ପ୍ରଦାନ, ରୋଷେଇ କାମ ବ୍ୟତୀତ ଅନ୍ୟକାମରେ ନିୟୋଜିତ ବନ୍ଦ କରିବା, କରୋନା ସମୟରେ ବିଦ୍ୟାଳୟ ବନ୍ଦଥିବା ସମୟରେ ରୋଷେଇ କାମ ବାଦ ଅନ୍ୟ କାମରେ ନିୟୋଜିତ ହୋଇଥିବା ପାଚିକା ସହାୟିକାଙ୍କୁ ଉପଯୁକ୍ତ ପାରିଶ୍ରମିକ ପ୍ରଦାନ, ବିଦ୍ୟାଳୟ ମିଶ୍ରଣରେ ଛଟେଇ ହୋଇଥିବା ପାଚିକା ସହାୟିକାଙ୍କୁ ଅଗ୍ରାଧୂକାରଭିଭିରେ ନିଯୁକ୍ତି ପ୍ରଦାନ ଆଦି।୨୫ ବର୍ଷ ଧରି ସେମାନେ ସରକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରି ସଫଳ ରୂପାୟନ ଦେଇଥିଲେ ସୁଦ୍ଧା ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ନଦେବା କିମ୍ବା ସରକାରଙ୍କଦ୍ବାରା ଘୋଷିତ ସର୍ବନିମ୍ନ ମଜୁରୀ ନଦେବା ବଡ଼ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ। ୧୪ଶହ ଟଙ୍କା ପାରିଶ୍ରମିକରେ କାମ କରିବା ବଡ଼ ଦୟନୀୟ ବିଷୟ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ଵେ ୨୮ ମାସର ବର୍ଦ୍ଧିତ ବକେୟା ଦରମା ପ୍ରଦାନ କରଯାଉ ନାହିଁ। ପରେ ଏକ ପ୍ରତିନିଧ୍ ମଣ୍ଡଳୀ ଜିଲାପାଳଙ୍କ ଅନୁପସ୍ଥିତରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଉପଜିଲାପାଳ ବାସୁଦେବ ଶତପଥଙ୍କୁ ଭେଟି ପ୍ରଦାନ କରିଥିଲେ । ବିକ୍ଷୋଭରେ ରଞ୍ଜିତା ବେହେରା, ଅପରାଜିତା ସାହୁ, ରେବତି ସାହୁ, ଶକୁନ୍ତଳା ସାହୁ, ସୁବାସିନୀ ଆଚାର୍ଯ୍ୟ, ସୁଭଦ୍ରା ପ୍ରଧାନଙ୍କ ସହ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩ ଶହରୁ ଅଧିକ ପାଚିକା ସହାୟିକା ଯୋଗଦେଇଥିଲେ ।
ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସହାୟିକାଙ୍କ ବିକ୍ଷୋଭ
- Post published:December 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul