ଅନୁଗୁଳୁ: ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ସମବାୟ ସମିତି ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ପାଇଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସୋମବାର ସମବାୟ ସମିତିରେ ତାଲା ପକାଇଥିଲେ। ଚାଷୀମାନେ ଅଭିଯୋଗ କରିଥିଲେ ଯେ, ଚଳିତବର୍ଷ ଧାନ କିଣିବାରେ ସରକାର ବହୁତ ବିଳମ୍ବ କରିଥିବା ସହିତ ଆଜି ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଧାନ କିଣା ଯାଇନାହିଁ। ତିନି ମାସ ହେଲା ଚାଷୀମାନେ ନିଜ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ କରି ଟୋକନ ଧରି ବସିଛନ୍ତି । ଚାଷୀ ପାଇଥିବା ଟୋକନ୍ ଅନୁସାରେ ସେମାନଙ୍କଠାରୁ ଧାନ ମିଲର ନେଉନାହାନ୍ତି। ତେଣୁ ଚାଷୀମାନେ ଧାନ ଆଜି ପର୍ଯ୍ୟନ୍ତ ବିକ୍ରି କରିନପାରି ଟୋକନ ଧରି ବସିଛନ୍ତି । ଚାଷୀମାନେ ନିଜର ଟୋକନ ଧରି ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ଆସିଥିଲେ। କିନ୍ତୁ ଧାନ ମଣ୍ଡିରେ ଚାଷୀଙ୍କଠାରୁ ପାଇଥିବା ଟୋକନ ଅନୁସାରେ ଧାନ କିଣିନଥିଲେ ମିଲର ।କାହାଠାରୁ ୫ କୁଇଣ୍ଟାଲ ତ କାହାଠାରୁ ୩ କୁଇଣ୍ଟାଲ ଧାନ କିଣିଥିଲେ। ଅଧିକ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିଲେ ମଧ୍ୟ ତାଙ୍କ ଠାରୁ କମ ପରିମାଣର ଧାନ କିଣିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସମବାୟ ସମିତିରେ ତାଲା ପକାଇ ଦେଇଥିଲେ । ଜିଲ୍ଲା ପ୍ରଶାସନ ଏହି ସମସ୍ୟା ଦୂର ନକଲେ ସାମୂହିକ ଭାବେ ଗାଡି ତଳେ ଶୋଇ ଆତ୍ମହତ୍ୟା କରିବାକୁ ମଧ୍ୟ ଚାଷୀମାନେ ଧମକ ଦେଇଥିଲେ। ଫୁଲପଡା ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ହଟ୍ଟଗୋଳ ତିନି ଘଣ୍ଟା ଧରି ଦେଖିବାକୁ ମିଳିଥିଲା।ମହୀଧରପୁର ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ପରେ ଚାଷୀମାନେ ଆନ୍ଦୋଳନରୁ ହଟିବା ସହିତ ସମବାୟ ସମିତିର ତାଲା ଖୋଲିଥିଲେ।
ଧାନ କିଣା ଅବ୍ୟବସ୍ଥା
- Post published:March 9, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
