ଅନୁଗୁଳ: ଚଳିତ ବିବାହ ଋତୁରେ ସୁନା ବଜାରରେ ପୂର୍ବଭଳି ଚମକ ଓ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ। ଏଟିଏମରୁ ନଗଦ ଅର୍ଥ ପ୍ରାପ୍ତିରେ ସମସ୍ୟା ଏବଂ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରହିଥିବା ସୀମା ଯୋଗୁଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ, ଅନ୍ତତଃ ପକ୍ଷେ ବର୍ଷେ ପାଇଁ ସୁନା କିଣିବାରୁ ବିରତ ରହିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ବେପାର ଉପରେ ବଡ଼ ପ୍ରଭାବ ପକାଇଛି।
ଏହି ସଂକଟଜନକ ପରିସ୍ଥିତି ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ସମ୍ପର୍କରେ ଅନୁଗୁଳ ଜୁଏଲାରୀ ସଂଘ ତଥା ବଣିକ ସଂଘ ସଭାପତି ଦୀପକ ବର୍ମା ଏକ ସନ୍ତୁଳିତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ବଜାର କାରବାର ପ୍ରାୟ ଅଧାକୁ ଖସି ଆସିଥିବାରୁ ବ୍ୟବସାୟୀ ମହଲ ଚିନ୍ତିତ। କିନ୍ତୁ ଜଣେ ଦାୟିତ୍ୱବାନ ନାଗରିକ ଓ ବ୍ୟବସାୟୀ ଭାବେ ଦେଶର ବୃହତ୍ତର ସ୍ୱାର୍ଥ ଏବଂ ରାଷ୍ଟ୍ରୀୟ ନୀତିକୁ ସର୍ବାଧିକ ପ୍ରାଥମିକତା ଦେବା ଆମର କର୍ତ୍ତବ୍ୟ। ତେଣୁ ସାମୟିକ ବ୍ୟାବସାୟିକ କ୍ଷତି ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇବା ଉଚିତ ବୋଲି ଶ୍ରୀ ବର୍ମା ପ୍ରକାଶ କରିଛନ୍ତି।











