ଅନୁଗୋଳ; ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳ ଏସପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଏବଂ ଏସଡିପିଓ କାର୍ଯ୍ୟାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ସଭାରେ ମୁଖ୍ୟତଃ ପୋଲିସ କର୍ମଚାରୀଙ୍କ କଲ୍ୟାଣ ଏବଂ କ୍ଷେତ୍ରସ୍ତରରେ ସାମ୍ନା କରୁଥିବା କାର୍ଯ୍ୟକ୍ଷମ ଚ୍ୟାଲେଞ୍ଜ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କର୍ମଚାରୀଙ୍କ ଆବାସ, ସ୍ୱାସ୍ଥ୍ୟ ସୁବିଧା, ଛୁଟି ସମସ୍ୟା ସହ ଅପରାଧ ନିୟନ୍ତ୍ରଣ ଓ ତଦନ୍ତରେ ଆସୁଥିବା ବାଧା ଉପରେ ଅଧିକାରୀମାନେ ମତ ରଖିଥିଲେ।
ଏସପି ସମସ୍ତ ସମସ୍ୟାର ଅନୁଧ୍ୟାନ କରି ଏହାର ତୁରନ୍ତ ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଥାନା ଓ ଏସଡିପିଓ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ବଢାଇ ଅଧିକ ପ୍ରଭାବଶାଳୀ ପୋଲିସିଂ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କର୍ମଚାରୀଙ୍କ ମନୋବଳ ବୃଦ୍ଧି ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏହି ସଭାର ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।











