ମାଖନା ହାତୀ ‘ରାଜୁ’ର ଉତ୍ପାତ: ଘଣ୍ଟାଏ ଧରି ରାସ୍ତା ଅବରୋଧ, ଅଟକି ରହିଲେ ଶହ ଶହ ଯାତ୍ରୀ

You are currently viewing ମାଖନା ହାତୀ ‘ରାଜୁ’ର ଉତ୍ପାତ: ଘଣ୍ଟାଏ ଧରି ରାସ୍ତା ଅବରୋଧ, ଅଟକି ରହିଲେ ଶହ ଶହ ଯାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ ଅଧୀନ ହନୁମାନପୁର ପଞ୍ଚାୟତ ସାପକଟା ଗ୍ରାମ ନିକଟ ଅତାବିରା ରାସ୍ତାରେ ଆଜି ଚର୍ଚ୍ଚିତ ମାଖନା ଦନ୍ତା ହାତୀ ‘ରାଜୁ’ର ଦେଖା ମିଳିଛି। ଦୀର୍ଘ ସମୟ ଧରି ହାତୀଟି ରାସ୍ତା ମଝିରେ ରହିଯିବାରୁ ସମ୍ପୂର୍ଣ୍ଣ ଯାତାୟାତ ଠପ୍ ହୋଇଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ଅଞ୍ଚଳରୁ ବୁଲି ବୁଲି ହାତୀଟି କଣିହାଁ ସୀମାରେ ପ୍ରବେଶ କରିଥିଲା। ଅତାବିରା ରାସ୍ତାରେ ପହଞ୍ଚିବା ପରେ ସେ ରାସ୍ତାକଡ଼ର ଗଛ ଡାଳ ଭାଙ୍ଗିବା ସହ ରାସ୍ତା ମଝିରେ ଅଟକି ରହିଥିଲା। ହାତୀର ଏଭଳି ଆଚରଣ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା, ଯାହାଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହାତୀକୁ ନିକଟରେ ଦେଖି ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

ଖବର ପାଇ କଣିହାଁ ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ କର୍ମଚାରୀମାନେ ଅତ୍ୟନ୍ତ ସତର୍କତାର ସହ ହାତୀଟିକୁ ଘଉଡ଼ାଇ ଜଙ୍ଗଲ ମୁହାଁ କରିଥିଲେ। ହାତୀଟି ଜଙ୍ଗଲକୁ ଚାଲିଯିବା ପରେ ପ୍ରାୟ ଏକ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ହାତୀ ଗତିବିଧି ଉପରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Share

Leave a Reply