ଅନୁଗୁଳ/ପାଳଲହଡ଼ା: ପାଳଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ଫେରାର କଏଦୀ ଦ୍ବୟ ହେଲେ ଡିମିରିଆ ଗାଁର ବସନ୍ତ ମହାକୁଳ ଏବଂ ଓଡ଼ଶ ଗାଁର ନେଣ୍ଟୁ ନାଏକ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, କଏଦୀମାନେ ରାତ୍ର ଭୋଜନ କରିବା ପରେ ନିଜ ନିଜର କୋଠରୀକୁ ଯାଇଥିଲେ। ସନ୍ଧ୍ୟାରେ ଝିପିଝିପି ବର୍ଷାର ସୁଯୋଗ ନେଇ ଏହି ଦୁଇ କଏଦୀ ଜେଲର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଜେଲ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରି ନ ପାଇବା ପରେ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ତେବେ ଏଯାଏଁ ଫେରାର କଏଦୀ ମିଳିପାରିନାହାନ୍ତି।
ପ୍ରକାଶ ଯେ ବର୍ତ୍ତମାନ ଏହି ଜେଲରେ ମାତ୍ର ଛଅ ସାତ ଜଣ କଏଦୀ ଅଛନ୍ତି। କିନ୍ତୁ କଏଦୀଙ୍କ ତୁଳନାରେ ଜେଲ କର୍ମଚାରୀଙ୍କ ସଂଖ୍ୟା ଅଧିକ ଅଛି। ଏଭଳି ସ୍ଥିତିରେ ଦୁଇ ଜଣ କଏଦୀ ଫେରାର ହେବା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ପଦାରେ ପକାଇ ଦେଇଛି।












