ଅନୁଗୋଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ଟାଟା ପାୱାର ପକ୍ଷରୁ କରାଯାଉଥିବା ଅଘୋଷିତ ଘନ ଘନ ବିଦ୍ୟୁତ୍ କାଟ୍ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ଏଆଇଇସିଏ) ଅନୁଗୋଳ ଜିଲ୍ଲା ପକ୍ଷରୁ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି।
ଜିଲ୍ଲା ଆବାହକ ତୀର୍ଥବାସୀ ଭୋଇଙ୍କ ସଭାପତିତ୍ୱରେ ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ସାମିଲ ହୋଇଥିଲେ।
ମୁଖ୍ୟ ଦାବିଗୁଡ଼ିକ ଯଥା ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ କରି ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଜନସ୍ୱାର୍ଥ ବିରୋଧୀ ସ୍ମାର୍ଟ ମିଟର ଲଗାଇବା ବନ୍ଦ ଓ ଲଗାଯାଇଥିବା ମିଟର ପ୍ରତ୍ୟାହାର, ପ୍ରସ୍ତାବିତ ଟାଇମ୍ ଅଫ୍ ଡେ ତାରିଫ୍ ବାତିଲ, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି, ଅତିରିକ୍ତ ସୁରକ୍ଷା ଜମା ଓ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ, ଟ୍ରାନ୍ସଫରମର ଅଚଳ ହେଲେ ୨୪ ଘଣ୍ଟାରେ ମରାମତି, ବିଦ୍ୟୁତ୍ ସେବାର ଘରୋଇକରଣ ବାତିଲ କରି ସରକାରୀ ନିୟନ୍ତ୍ରଣ, ମିଟର ଦେୟ ଶେଷ ପରେ ମାସିକ ଭଡା ଆଦାୟ ବନ୍ଦ। ବିକ୍ଷୋଭ ସଭାରେ ବରିଷ୍ଠ ବିଦ୍ୟୁତ୍ ଉପଭୋକ୍ତା ଅଭିମନ୍ୟୁ ସ୍ୱାଇଁ, ତ୍ରିଲୋଚନ ଜେନା, ହେମନ୍ତ କୁମାର ଦାସ ପ୍ରମୁଖ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍ କାଟକୁ ତୀବ୍ର ନିନ୍ଦା କରିଥିଲେ। ଡିଜିଟାଲ ମିଟର ଠିକ୍ ଚାଲୁଥିବାବେଳେ ସ୍ମାର୍ଟ ମିଟର ବସାଇବାକୁ ବାଧ୍ୟ କରାଯିବା ପଛରେ କାହାର ସ୍ୱାର୍ଥ ବୋଲି ପ୍ରଶ୍ନ ଉଠାଇଥିଲେ।
ବିକ୍ଷୋଭସ୍ଥଳକୁ ନିର୍ବାହୀ ଯନ୍ତ୍ରୀ ଆସି ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଦଫା ସ୍ମାରକପତ୍ର ଗ୍ରହଣ କରିଥିଲେ। ଅଘୋଷିତ ବିଦ୍ୟୁତ୍ କାଟ୍ ବନ୍ଦ ପାଇଁ ପଦକ୍ଷେପ ନେବା ସହ ଅନ୍ୟ ଦାବିଗୁଡିକୁ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା। ବିକ୍ଷୋଭରେ ସଞ୍ଜୟ ସାହୁ, ବିଷ୍ଣୁ ସାହୁ, ନିରଞ୍ଜନ ନାୟକ, ବେଣୁଧର ପ୍ରଧାନ, ପ୍ରଦୀପ ମାଝୀ, ଉଦୟ ଭୋଇ, ମଳୟ ବେହେରା, ସତ୍ୟରଞ୍ଜନ ସାହୁ, ନିରୂପମା ପ୍ରଧାନଙ୍କ ସମେତ ଶତାଧିକ ଉପଭୋକ୍ତା ସାମିଲ ଥିଲେ।











