ଅନୁଗୁଳ: ରେଙ୍ଗାଳି ଜଳଭଣ୍ଡାରକୁ ମତ୍ସ୍ୟ ଚାଷର ପ୍ରୟୋଗଶାଳା ଭାବେ ବିକଶିତ କରାଯିବ। ଏଠାରେ ଆଉ ୧୨୬ଟି କେଜ୍ କଲଚର ନିର୍ମାଣ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରାଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଆଜି କଣିହାଁ ବ୍ଲକ ରେଙ୍ଗାଳିସ୍ଥିତ ଓଏଚପିସି ଅତିଥି ଭବନ ପରିସରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗର କାର୍ଯ୍ୟକାରିତା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସହ ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତି ଉପସ୍ଥିତ ଥିଲେ।
ବୈଠକରେ ରେଙ୍ଗାଳି ଜଳଭଣ୍ଡାରେ କେଜ୍ କଲଚର ସମ୍ପ୍ରସାରଣ, ମତ୍ସ୍ୟ ଓ ପଶୁପାଳନର ସଶକ୍ତିକରଣ ଏବଂ ସ୍ଥାନୀୟ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ନିଯୁକ୍ତି ସୃଷ୍ଟି ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ଯେ, ବର୍ତ୍ତମାନ ରେଙ୍ଗାଳିରେ ରାଜ୍ୟ ସରକାରଙ୍କ ୪ କୋଟି ଟଙ୍କା ବ୍ୟରେ ୪ଟି କେଜ୍ କଲଚର ଆରମ୍ଭ ହୋଇଛି। ପ୍ରତ୍ୟେକ କେଜ୍ ର ମୂଲ୍ୟ ୧ କୋଟି ଟଙ୍କା ଏବଂ ଗୋଟିଏ କେଜ୍ ରୁ ପ୍ରାୟ ୩୦ ଟନ୍ ମାଛ ଉତ୍ପାଦନ ହେବାର ସମ୍ଭାବନା ରହିଛି। ମତ୍ସ୍ୟ ଚାଷ ବୃଦ୍ଧି ପାଇଁ ଆଉ ୧୨୬ଟି କେଜ୍ କଲଚର ନିର୍ମାଣ ସହ ରେଙ୍ଗାଳିକୁ ଏକ କେଜ୍ କଲଚର ପ୍ରୟୋଗଶାଳା ଭାବେ ବିକଶିତ କରାଯିବ।
ଏହି ପ୍ରକଳ୍ପ ପାଇଁ ୧୨୬ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଯାଇଛି। ବିଧାୟକ ଅଶୋକ ମହାନ୍ତି ରେଙ୍ଗାଳି ଓ ସହର ଗୁରୁଜାଙ୍ଗରେ ମାଛ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମତ୍ସ୍ୟ ସମବାୟ ସମିତିଗୁଡିକୁ ଜାଲ, ମୋଟର ଚାଳିତ ବୋଟ୍ ଓ ଆଇସ୍ ବାକ୍ସ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ବୈଠକରେ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକଙ୍କ ସମେତ ବ୍ଲକ ଓ ଜିଲ୍ଲା ସ୍ତର ଅଧିକାରୀ ଉପସ୍ଥିତ ଥିଲେ।











